୧୦ରୁ ୧୫ ଦିନ ଭିତରେ ସୁଧୁରିବି ସ୍ଥିତି: ଆଇଏଲ୍ଏସ୍‌ ନିର୍ଦ୍ଦେଶକ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମିଛି। ହେଲେ ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଭଳି ସ୍ଥାନରେ ସଂକ୍ରମଣ ଟିକିଏ ଅଧିକ ରହୁଛି। ଆଉ ୧୦ରୁ ୧୫ ଦିନ ଭିତରେ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା।

ଶ୍ରୀ ପରିଡ଼ା‌ଙ୍କ କହିବାନୁଯାୟୀ, ମେ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍‌ ହାର ପିକରେ ଥିଲା । ୨୫ଠୁ କମିବା ଆରମ୍ଭ ହୋଇଛି । ବର୍ତ୍ତମାନ ଦେଶରେ B1.617.2 ଭୂତାଣୁ ଦେଖା ଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି। ଓଡ଼ିଶାରେ ବି ସମାନ ଅନୁପାତରେ ସମାନ ଭୂତାଣୁ ଦେଖା ଦେଇଥିବା ନେଇ ସେ କହିଛନ୍ତି। ପ୍ରଥମ ଲହରରେ B1.617.1 ଭୂତାଣୁ ଦେଖାଦେଇଥିଲା । ତାହା ଏବେ ନିଷ୍କ୍ରିୟ ଅବସ୍ଥାକୁ ଯାଇଛି । ସମ୍ଭାବ୍ୟ ଥାର୍ଡ ୱେଭ୍‌ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ।

ଅପରପକ୍ଷେ ତୃତୀୟ ଲହର ପ୍ରଭାବ କେମିତି ରହିବ ସେନେଇ ତିନୋଟି ଦିଗ ଉପରେ ନିର୍ଭର କରେ। ଗୋଟିଏ ହେଲା କୋଭିଡ ନିୟମକୁ ମାନିବା, ଦ୍ୱିତୀୟଟି ହେଲା ଟିକାକରଣ ଓ ତୃତୀୟଟି ହେଲା ଭାଇରସ ପରିବର୍ତ୍ତନ ରୂପ ଅନୁସାରେ ନିରାକରଣ ପଦକ୍ଷେପ। ଏଥିରେ କେବଳ ଶିଶୁ ନୁହେଁ, ଅନ୍ୟମାନେ ବି ସଂକ୍ରମିତ ହେବା ଆଶଙ୍କା ରହିଛି। ତେଣୁ ସତର୍କ ହେବାକୁ ପଡିବ ବୋଲି ଆଇଏଲ୍‌ଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି।

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ କରୋନାର ତୃତୀୟ ଲହରୀ ଅକ୍ଟୋବର ମାସରେ ଆସିପାରେ। ତେବେ ଏହା ସେତେଟା ଘାତକ ହେବନାହିଁ। ରାଜ୍ୟ ସରକାର ତୃତୀୟ ଲହରୀ ପାଇଁ ମଧ୍ୟ ପ୍ରସ୍ତୁତି କରିଛନ୍ତି। ୧୭ ତାରିଖ ପରେ ବିଶେଷକରି ଲକଡାଉନର ଆବଶ୍ୟକତା ପଡିନପାରେ। ବର୍ତ୍ତମାନ ଟିକା ହେଉଛି ମୁଖ୍ୟ। ଯେତେ ଟିକାକରଣ ହୋଇପାରିବ ସେତେ ଭଲ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

Leave a Reply