କରୋନା ସଂକଟ କାଳରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଚରଣ ଆଶ୍ଚର୍ଯ୍ୟଜନକ : IMA

1 min read

ନୂଆଦିଲ୍ଲୀ: କରୋନା ସଂକଟ କାଳରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ସମାଲୋଚନା କରିଛି ଭାରତୀୟ ଚିକିତ୍ସା ସଂଘ(IMA) । ଶନିବାର ଦିନ ସଂଘ ପକ୍ଷରୁ ଜାରି ବୟାନରେ କରୋନା ମୁକାବିଲା ପାଇଁ କେନ୍ଦ୍ର ଉଚିତ ପଦକ୍ଷେପ ଉଠାଇ ନାହିଁ ବୋଲି କୁହାଯାଇଛି । ଏହା ସହିତ ଆଇଏମଏ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ପକ୍ଷରେ ମତ ରଖିଛି ।
ଆଇଏମଏ ତ’ର ବୟାନରେ କହିଛି ଯେ, ‘‘ କୋଭିଡ୍-୧୯ ମହାମାରୀର ବିନାଶକାରୀ ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାରା ଉତ୍ପନ ସଂକଟର ମୁକାବିଲା ଦିଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମନ୍ଥର ଓ ଅନୁପଯୁକ୍ତ ଉପାୟ ଦେଖି ଆଇଏମଏ ଚକିତ ହୋଇଛି । ସାମୁହିକ ଚେତନା,ଆଇଏମଏ ଓ ଅନ୍ୟ ପେଶାଦାର ସହଯୋଗୀଙ୍କ ଦ୍ୱାରା ଦିଆଯାଇଥିବା ଅନୁରୋଧକୁ ଅଳିଆଗଦାକୁ ଫୋପାଡି ଦିଆଯାଏ ଓ ପ୍ରାୟତଃ ତୃଣମୂଳ ସ୍ତରର ବାସ୍ତବତାକୁ ନବୁଝି ନିର୍ଣ୍ଣୟ ନିଆଯାଉଛି’’

ସମ୍ପୂର୍ଣ୍ଣ ଲକଡାଉନ୍ ହିଁ ପ୍ରତିରକ୍ଷା

ଆଇଏମଏ ମଧ୍ୟ ବୟାନରେ ସମ୍ପୂର୍ଣ୍ଣ ଲକଡାଉନ୍ ପକ୍ଷରେ ମତ ରଖିଛି । ଆଇଏମଏ ପକ୍ଷରୁ କୁହାଯାଇଛି ଯେ, ଦେଶବ୍ୟାପୀ ସମ୍ପୂର୍ଣ୍ଣ ଲକଡାଉନ୍ ଦ୍ୱାରା ହିଁ ସଂକ୍ରମଣ ଚେନକୁ ଖଣ୍ଡିତ କରାଯାଇ ପାରିବ । କିଛି ରାଜ୍ୟରେ ୧୦ କିମ୍ବା ୧୫ ଦିନର ଲକଡାଉନ୍ ବଦଳରେ ଯୋଜନାବଦ୍ଧ ଓ ପୂର୍ବଘୋଷିତ ଲକଡାଉନ୍ ଉପରେ ସଂଘ ଗୁରୁତ୍ୱ ଦେଇଛି । ସଂଘ ଅନୁସାରେ ଲକଡାଉନ୍ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଭିତ୍ତିଗତ ଢାଞ୍ଚାକୁ ସମ୍ଭାଳିବା ପାଇଁ ସମୟ ମିଳିବ ।

ଦେଶବ୍ୟାପୀ ଲକଡାଉନ୍ ଯୋଗୁ ସଂକ୍ରମଣ ଚେନ୍ ଭାଙ୍ଗିବ । ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ସଂଖ୍ୟା କମିବ । କିନ୍ତୁ ଅଲଗା ଅଲଗା ରାଜ୍ୟରେ ଛୋଟମୋଟ କର୍ଫ୍ୟୁ କିମ୍ବା ଲକଡାଉନ୍ ଯୋଗୁ କୌଣସି ଲାଭ ମିଳିବ ନାହିଁ । ରାଜ୍ୟ ଗୁଡିକରେ ଲକଡାଉନ ଥିବା ବେଳେ ସବୁକିଛି ପୂର୍ବପରି ଚାଲିଛି । ଗୋଟିଏ ରାଜ୍ୟରେ ଲକଡାଉନ୍ ଥିବା ବେଳେ ଆଉ ଗୋଟିଏ ରାଜ୍ୟ ମୁକୁଳା ପଡିଛି । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଲୋକଙ୍କ ଚଳାଚଳ ଜାରି ରହିଛି । ଏମିତିରେ ସଂକ୍ରମଣର ବିପଦ ରହିଛି । ଦୁଇ ତିନିଦିନର ସମୟ ନେଇ କେନ୍ଦ୍ର ଦେଶବ୍ୟାପୀ ଲକଡାଉନ୍ ଲାଗୁ କରିବା ଉଚିତ ବୋଲି ଆଇଏମଏ କହିଛି ।

Leave a Reply