ରାଜ୍ୟରେ ଆହୁରି ଚାରିଦିନ ଲାଗି ରହିବ ବର୍ଷା ; ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

1 min read

ନନ୍ଦିଘୋଷ ବ୍ୟୁରୋ: ଆହୁରି ଚାରି ଦିନ ରାଜ୍ୟରେ ଲାଗି ରହିବ ବର୍ଷା  । ୨୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଅଛି । ବଜ୍ରପାତ ସହିତ ଝଡ଼ବର୍ଷାର ବି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ବର୍ତ୍ତମାନ ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି । ଯାହାଫଳରେ ମୌସୁମି ସକ୍ରିୟ ରହିବ  ।

୨୪ଘଣ୍ଟା ପାଇଁ ଓଡ଼ିଶାର ଜଗତସିଂହପୁର, କଟକ, ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡି ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଓ ଝଟକା ପବନର ବେଗ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ବହିବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।