ଆସୁଛି ଘୂର୍ଣ୍ଣିବଳୟ ; ୨୬ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ବର: ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ୨୫ ଜୁନ ପାଖାପାଖି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳରେ ଏକ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଯାହାର  ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ୩୫ରୁ ୫୫ କିମି ବେଗରେ ପବନ ବ‌ହିବା ସହିତ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ  । ରାଜ୍ୟର କିଛି ଜିଲ୍ଲାକୁ ୨୫ ଓ ୨୬ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ  । କେନ୍ଦୁଝର, ମୟୂରଭଞ୍ଜ  ଓ ବାଲେଶ୍ୱର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ,  କଳାହାଣ୍ଡି, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଅଧିକ  ବର୍ଷା ହୋଇପାରେ ।

୨୫ ତାରିଖ ବେଳକୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ଓଡିଶାରେ ଆହୁରି ୪ ଦିନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ବି ଜାରି ରହିବ  । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ସେହିଭଳି ଉପକୂଳ ଓ ଆଭ୍ୟନ୍ତୀରଣ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।