୨୪ ଅପରାହ୍ନରୁ ପାଗରେ ପରିବର୍ତ୍ତନ, ଉପକୂଳରେ କୋହଲା ପାଗକୁ ସମୁଦ୍ର ଅଶାନ୍ତ

ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ରଟି ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପୂର୍ବ ଦିଗ ରେ ହୋଇ ଆସନ୍ତା କାଲି ଡିପ୍ରେସନର ରୂପ ନେବ ଓ ପରବର୍ତ୍ତୀ ସମୟ ରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ, ବାତ୍ୟା ରୂପ ନେଇପାରେ। ତେବେ ଏହାର ଗତିପଥ ଏବେ ବି ଅସ୍ପଷ୍ଟ ରହିଛି।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଗରମ ଗୁଳୁଗୁଳିର ପ୍ରଭାବ ରହିବ। ତେବେ ଅପରାହ୍ନରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ଅଳ୍ପ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ୨୪ ରାତି ରୁ ୨୬ ଅପରାହ୍ନ ଯାଏଁ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳ ରେ ବର୍ଷା ବିସ୍ତାରିତ ହେବାର ସମ୍ଭାବନା ରହିଛି।

ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଉପକୂଳରେ କୋହୋଲା ପାଗ ସହ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ ୨୩ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।