୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ୨୫ରେ ଅତିପ୍ରବଳ ବର୍ଷା

ଭୁବନେଶ୍ବର: ୱେଲ୍ ମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ । ୧୨ଘଣ୍ଟା ଭିତରେ ନେବ ଅବପାତର ରୂପ । ଉତ୍ତର ପଶ୍ଚିମ ପରେ ଉତ୍ତର ଦିଗରେ ଗତି କରି ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବାତ୍ୟା ହେବା ସହ ବଳ ଗୋଟାଇ ସିଭିୟର ସାଇକ୍ଲୋନର ରୂପ ନେଇପାରେ । ୨୫ ତାରିଖରେ ଏହା ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ନିକଟରେ ଯାଇ ପହଞ୍ଚିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

ବାତ୍ୟା ସମୟରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ । ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୩ ତାରିଖ ଠାରୁ ଓଡ଼ିଶା ଉପକୂଳରେ ପବନର ବେଗ ୩୦ରୁ ୪୦ କିମି, ୨୪ରେ ୪୦ରୁ ୫୦କିମି, ୨୫ରେ ୫୦ରୁ ୬୦କିମି ପ୍ରତି ଘଣ୍ଟା ରହିପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଧାମରା ଠାରୁ ୨୦୦କିମି ଦୂରରେ ସମୁଦ୍ରରେ ଯିବ ବାତ୍ୟା । ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ବର୍ଷା ଓ ପବନ ହେବ । ପବନ ଯୋଗୁଁ ବିଶେଷ କିଛି ସମସ୍ୟା ହେବନି । ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି । ତେବେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ବୋଲି ଏସଆରସି କହିଛନ୍ତି ।