କଳାଧନ ପ୍ରସଙ୍ଗରେ ଏସଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ

କଟକ: କଳାଧନ ପ୍ରସଙ୍ଗରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । କହିଛନ୍ତି, ଦେଶରେ ଏବେ ବହୁ ମାତ୍ରାରେ ନିଶାଦ୍ରବ୍ୟ ଧରାପଡ଼ିଛି । ୫ଟି ରାଜ୍ୟରେ ନିର୍ବାଚନ ସମୟରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଧରାପଡିଥିଲା । ଯାହା ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାରର ସୂଚନା ପ୍ରଦାନ କରୁଛି ।

ଅନେକ ସମୟରେ ଭୋଟରଙ୍କୁ କ୍ୟାସ୍ ପରିବର୍ତ୍ତେ ସୁନା  ଉପହାର ସହ ଅନ୍ୟ ସାମଗ୍ରୀ ଦେବାକୁ ଅନଲାଇନ୍ ଜରିଆରେ ପ୍ରଲୋଭିତ କରାଯାଉଛି । ଶିକ୍ଷାନୁଷ୍ଠାନରେ ବିଭିନ୍ନ ଉପାୟରେ ବେଆଇନ ଟଙ୍କା କାରବାର ହେଉଥିବା ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଆଗକୁ ଏହାକୁ କିଭଳି ରୋକାଯାଇପାରିବ ସେ ନେଇ ଗୁରୁତ୍ଵାରୋପ କରାଯାଇଛି । ରାଜ୍ୟରେ ଭିଜିଲାନ୍ସ ସମେତ ଅନ୍ୟ ସମସ୍ତ ଏନଫୋର୍ସମେଣ୍ଟ ସଂସ୍ଥା ଦୁର୍ନୀତି ଅଭିଯୋଗ ବିରୋଧରେ କରିଥିବା ତଦନ୍ତର ସବିଶେଷ ବିବରଣୀ ଇଡି ଓ ଆୟକର ବିଭାଗକୁ ଦେବେ । ଆସନ୍ତା ଜୁନ୍ ସୁଦ୍ଧା ନବମ ଅନ୍ତରୀଣ ରିପୋର୍ଟ ସୁପ୍ରିମକୋର୍ଟକୁ ପଠାଯିବ ।

ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ତାଙ୍କ କଟକ ତେଲେଙ୍ଗା ବଜାର ବାସଭବନରେ ବସିଥିଲା ଏହି ବୈଠକ । ବୈଠକରେ ଇଡି, ସିବିଆଇ, ଆୟକର, କଷ୍ଟମ, ଜିଏସଟି, ଭିଜିଲାନ୍ସ ଓ ଖଣି ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଦେଶରେ ଗଚ୍ଛିତ କଳାଧନ ଉପରେ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏଜେନ୍ସି ନେଉଥିବା କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହୋଇଥିଲା । କଳାଧନକୁ ସାମ୍ନାକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଜାରି ରହିଛି । ଏହା ମଧ୍ୟରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ତାଙ୍କ ଅଷ୍ଟମ ରିପୋର୍ଟ କୋର୍ଟରେ ଦାଖଲ କରିସାରିଛନ୍ତି ।