ନିର୍ମଳା ବଜେଟରେ ନବୀନ ମଡେଲ, ବଜେଟରେ ରାଜ୍ୟ ଯୋଜନାର ଛାପ

ଭୁବନେଶ୍ୱର: କେନ୍ଦ୍ର ବଜେଟରେ ଓଡ଼ିଶା ଯୋଜନାର ଛାପ। ରାଜ୍ୟସରକାରଙ୍କ ଲୋକପ୍ରିୟ ଯୋଜନା ମିଶନ ଶକ୍ତି ଓ ମମତାକୁ କେନ୍ଦ୍ର ବଜେଟରେ ଫୋକସ କରାଯାଇଛି। ମହିଳାଙ୍କ ଉନ୍ନତି କ୍ଷେତ୍ରରେ ଓଡ଼ିଶାର ଏହି ଯୋଜନାକୁ କେନ୍ଦ୍ର ଗୁରୁତ୍ବ ଦେବା ପରେ ସାରା ଦେଶ ପାଇଁ ଓଡ଼ିଶା ପୁଣି ଥରେ ମଡେଲ ସାଜିଛି।

ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟସରକାରଙ୍କ ଲୋକପ୍ରିୟ ଯୋଜନା ମମତା ୨୦୧୧ରୁ ଆରମ୍ଭ ହୋଇଛି। ଗର୍ଭଧାରଣ ସମୟରେ ମା’ଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ନବଜାତ ଶିଶୁର ଯତ୍ନ ନେବା ଏହି ଯୋଜନାର ଉଦ୍ଦେଶ୍ୟ। ମମତା ସାଙ୍ଗକୁ ରାଜ୍ୟସରକାରଙ୍କ ମିଶନ ଶକ୍ତି ଏବେ ଏକ ବିପ୍ଳବରେ ପରିଣତ ହୋଇଛି।  ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଏବେ ବହୁ ଆଗରେ ରହିଛି। ପ୍ରାୟ ୮୦ ଲକ୍ଷ ମହିଳା ଏବେ ଆର୍ଥିକ ସ୍ବାବଲମ୍ବୀ ହୋଇସାରିଲେଣି। ଏବେ ଏହା ସାରା ଦେଶ ପାଇଁ ବେଞ୍ଚମାର୍କ ଭାବେ ପରିଗଣିତ ହୋଇଛି। କେନ୍ଦ୍ର ବଜେଟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତକରିଛନ୍ତି। ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଏବେ ସାରା ଦେଶ ପାଇଁ ଉଦାହରଣ ହୋଇଛି ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

ଓଡ଼ିଶାର ସଫଳ ଯୋଜନା କେନ୍ଦ୍ର ବଜେଟରେ ସ୍ଥାନ ପାଇଥିଲେ ମଧ୍ୟ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ। ଦଳ କହିଛି କେନ୍ଦ୍ର ଯୋଜନାକୁ ଓଡ଼ିଶା ସରକାର ନିଜ ନାମରେ ଉପସ୍ଥାପିତ କରୁଛି। ସେପଟେ କଂଗ୍ରେସ କିନ୍ତୁ  କେନ୍ଦ୍ରସରକାରଙ୍କ ବଜେଟକୁ ସମାଲୋଚନା କରିଛି। ଟିକସ ବାବଦକୁ ରାଜ୍ୟ ଯାହା ପ୍ରାପ୍ୟ ପାଇବା କଥା ତାହା ଏଥର ବଜେଟରେ ରାଜ୍ୟ ପାଇବ ନାହିଁ। କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କମିଛି। ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି  ।

Leave a Reply