ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ ଖାନ

ଇସଲାମାବାଦ: ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ । ତାଙ୍କ ଉପରେ ପାଞ୍ଚ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲେ ପାକିସ୍ତାନ ନିର୍ବାଚନ ଆୟୋଗ । ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ । ମାମଲାର ଶୁଣାଣି କରି ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ମାମଲାରେ ଇମ୍ରାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ଇସଲାମାବାଦ ପୋଲିସ । ବିଦେଶୀ ଅତିଥିଙ୍କଠାରୁ ପ୍ରାପ୍ତ ଉପହାରଗୁଡିକୁ ବିକ୍ରି କରିଥିବା ଅଭିଯୋଗକୁ ନେଇ ଅଡୁଆରେ ପଡିଥିଲେ ଇମ୍ରାନ । ୨୦୧୮ରେ ଇମ୍ରାନଙ୍କୁ ପ୍ରାୟ ୧୫୪ ନିୟୁତ ଟଙ୍କାର ରତ୍ନ ଖଚିତ ଘଣ୍ଚା ଉପହାର ମିଳିଥିଲା । ତେବେ ସେଥିରୁ ୩ଟି ଦାମୀ ଘଣ୍ଟାକୁ ୩୬ ନିୟୁତ ଟଙ୍କାରେ ବିକ୍ରି କରିଦେଇଥିଲେ ଇମ୍ରାନ । ଏହା ସହ ଉପହାର ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇ ଭଣ୍ଡାଇଥିଲେ । ସେ ପାଇଥିବା ଉପହାର ମଧ୍ୟରେ ରହିଛି ଗ୍ରାଫ୍ଟ ରିଷ୍ଟଓ୍ବାଚ, ଦୁଇଟି କଫଲିଙ୍କ, ଏକ ଦାମୀ ପେନ, ୪ଟି ରୋଲେକ୍ସ ଘଡ଼ି ଇତ୍ୟାଦି । ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଉପହାର ମିଳେ ତାହାକୁ ସରକାରୀ ମାଲିକାନାଧୀନ ତୋଷଖାନାରେ ରଖାଯିବା କଥା ।