୨୦୨୪ ନିର୍ବାଚନ: ସୋସିଆଲ ମିଡ଼ିଆରେ କ୍ୟାମ୍ପେନ କରି ଲୋକଙ୍କ ପାଖକୁ ଯିବ ବିଜେଡି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ସୋସିଆଲ ମିଡ଼ିଆରେ କ୍ୟାମ୍ପେନ କରି ପ୍ରତ୍ୟେକ ଲୋକଙ୍କ ନିକଟତର ହେବ ବିଜେଡ଼ି । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି ସହ ବିଭିନ୍ନ ରୂପାନ୍ତରଣ କଥାକୁ ସୋସିଆଲ ମିଡ଼ିଆରେ ଜୋରଦାର ପ୍ରଚାର କରିବାକୁ ଦଳ ଅଣ୍ଟା ଭିଡ଼ିଛି । ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶାବାସୀଙ୍କୁ ଭୂଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ସୋସିଆଲ ମିଡ଼ିଆକୁ ବଡ଼ ଅସ୍ତ୍ର କରିବ ବିଜେଡ଼ି । କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ଗ୍ରାଉଣ୍ଡରେ ଶତ ପ୍ରତିଶତ ପହଞ୍ଚାଇବାକୁ ନେତାଏ ଅଣ୍ଟା ଭିଡ଼ିଛନ୍ତି ।

୨୦୨୪ରେ ହେବ ସୋସିଆଲ ମିଡିଆ ଓ୍ବାର । ବିରୋଧୀଙ୍କ ଅପପ୍ରଚାରର ଖୁଲାସା କରିବ ବିଜେଡି । ଲୋକଙ୍କ ପାଖରେ ପହଞ୍ଚିବ ସତ୍ୟ ଓ ବିକାଶର ଗାଥା । ଓଡ଼ିଶା ହକ ପାଇଁ ସୋସିଆଲ ମିଡ଼ିଆରେ ହେବ କ୍ୟାମ୍ପେନ । ଭୁଲ ତଥ୍ୟ ଦେଇ ବିଭ୍ରାନ୍ତି କରିବାର ହୀନ ରାଜନୀତି ଆଉ ଚାଲିବନି । ସବୁ ଘଟଣାର ଟିକନିଖ ସତ ଜାଣିବେ ଓଡ଼ିଶାବାସୀ । ୨୦୨୪ରେ ସୋସିଆଲ ମିଡିଆକୁ ବଳିଷ୍ଠ ମାଧ୍ୟମ କରି ଲୋକଙ୍କ ପାଖରେ ପହଞ୍ଚିବ ବିଜେଡି । ବିଜେଡିର ସବୁ ସୋସିଆଲ ମିଡିଆ ପେଜକୁ ଅଧିକ ସକ୍ରିୟ କରାଯିବ । ରାଜ୍ୟ ସରକାରଙ୍କ ସଫଳତା ସହ ବିରୋଧୀଙ୍କ ଭୁଲ ତଥ୍ୟର ସଠିକ ଜବାବ ସୋସିଆଲ ମିଡ଼ିଆରେ ଦେବାକୁ  ଦଳୀୟ ନେତା ଓ  କର୍ମୀଙ୍କୁ  ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୈତିକ  ଉଦ୍ଦେଶ୍ୟ ରଖି ବିରୋଧୀ ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଯେଉଁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି ତାହାର ଖୁଲାସା କରିବ ଦଳ ।  ସବୁ ପ୍ରସଙ୍ଗରେ ଟଣାଓଟରା କରି ବିରୋଧୀ ଯେଉଁଭଳି ଭାବେ ସୋସିଆଲ ମିଡ଼ିଆରେ ବିଜେଡି ନାଁ ଯୋଡ଼ି ଭୁଲ ତଥ୍ୟ ରଖୁଛନ୍ତି, ତାର କାଉଣ୍ଟର ଜବାବ ଦେବେ ବିଜେଡି ନେତା ।

ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ରୂପାନ୍ତରଣ ସବୁ କ୍ଷେତ୍ରରେ ହୋଇଛି । ଓଡ଼ିଶା ରୂପାନ୍ତରଣ କଥାକୁ ମଧ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବ ଦଳ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, କାଳିଆ, ମିଶନ ଶକ୍ତି, ୫ ଟଙ୍କିଆ ଚାଉଳ ଯୋଗାଣ, ଭୂମିହୀନକୁ ଜାଗା, ବିଜୁ ପକ୍କା ଘର, ଭିତ୍ତିଭୂମି ବିକାଶ, ଶିଳ୍ପାୟନରେ ନୂଆଯୁଗ ଓଡ଼ିଶାରେ ଆରମ୍ଭ ହେବା ସହ ନୂଆ ଓଡ଼ିଶା, ନବୀନ ଓଡ଼ିଶା ବିକାଶର ଭେଟି ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସଚେତନ କରିବ ବିଜେଡି । ଏହାସହ ମହାନଦୀ, ପୋଲାଭରମ, ସୀମା ବିବାଦ, କୋଇଲା ରୟାଲିଟି ରିଭିଜନ, ବକେୟା ଅର୍ଥ ପ୍ରଦାନ, ଫୋକସ ଟେଷ୍ଟ ମାନତ୍ୟ ପରି ଲମ୍ବା ଦାବିକୁ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ଦ୍ବାରା ଚାପ ସୃଷ୍ଟି କରିବ ଦଳ । ଅନ୍ୟପଟେ କଂଗ୍ରେସ ମଧ୍ୟ ସୋସିଆଲ ମିଡିଆ ଜରିଆରେ କେନ୍ଦ୍ରର ଓଡିଶା ପ୍ରତି ଅବହେଳାକୁ ମୁଖ୍ୟ ଅସ୍ତ୍ର କରିବ ୨୪ ନିର୍ବାଚନରେ ।

ଓଡ଼ିଶାରେ ୩ କୋଟି ୩୦ ଲକ୍ଷ ୭୦ ହଜାର ମୋବାଇଲ ଉପଭୋକ୍ତା ଅଛନ୍ତି । ସମସ୍ତଙ୍କ ପାଖରେ ସରକାରଙ୍କ ବିକାଶ ଓ ସତ୍ୟ କଥା ପହଞ୍ଚାବ ବିଜେଡି । ୨୦୨୪ ନିର୍ବାଚନରେ ସୋସିଆଲ ମିଡିଆକୁ ମୁଖ୍ୟ ଅସ୍ତ୍ର କରି ବିରୋଧୀଙ୍କ ଅପ୍ରଚାରକୁ ରୋକିବାକୁ ବିଜେଡିର ଲମ୍ବା ରଣନୀତି ଯୋଗୁଁ ବିରୋଧୀ ଶିବିରରେ ଛନକା ପଶିଛି ।