୨୨ ବର୍ଷରେ ଅଢେଇ ଗୁଣ ବଢିଛି ଖାଦ୍ଯଶସ୍ଯ ଉତ୍ପାଦନ, କୃଷି ଯନ୍ତ୍ରପାତି କିଣିବାକୁ ମିଳୁଛି ସବସିଡି

ଭୁବନେଶ୍ବର: କୃଷକଙ୍କ ସଶକ୍ତିକରଣକୁ ଗୁରୁତ୍ବ ଦେଇଛନ୍ତି ରାଜ୍ଯ ସରକାର । ଜୟ କିଷାନର ମାହାତ୍ମ୍ୟକୁ ପାଳନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଷ ଓ ଚାଷୀଙ୍କ ବିକାଶକୁ ନେଇ ରାଜ୍ଯ ସରକାର କରିଥିବା ଉଲ୍ଲେଖନୀୟ ଯୋଜନାର ଓ କୃଷକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇଛି ବିଜେଡି । ବିଜେଡି ସାସଂଦ ସସ୍ମିତ ପାତ୍ର ଓ ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି, ଓଡ଼ିଶାରେ ୬୧ ଲକ୍ଷ ଜମିରେ କୃଷି କାର୍ଯ୍ୟ କରାଯାଉଛି । ଆମର ୯୩ ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର । ରାଜ୍ଯ ସରକାର ସବୁବେଳେ କୃଷିକୁ ପ୍ରାଧାନ୍ଯ ଦେଉଛନ୍ତି । ୨ ହଜାର ମସିହାରେ ଓଡ଼ିଶାର ଶସ୍ଯ ଉତ୍ପାଦନ ୫୫ଲକ୍ଷ ଟନ ରହିଥିଲା । ଯାହାକି ଅଢେଇ ଗୁଣ ବୃଦ୍ଧି ପାଇ ୨୦୨୨ରେ ୧ ଲକ୍ଷ ୪୧ ହଜାର ଟନରେ ପହଞ୍ଚିଛି । ୨ ହଜାର ମସିହାରେ ଓଡ଼ିଶା ଆବଶ୍ଯକତାଠାରୁ କମ ଶସ୍ଯ ଉତ୍ପାଦରେ କରୁଥିଲା । ଅନ୍ଯ ରାଜ୍ଯରୁ ଆଣି ରାସନ କାର୍ଡରେ ବଣ୍ଟନ ହେଉଥିଲା ।

କିନ୍ତୁ ଏବେ ଅନ୍ଯ ରାଜ୍ଯକୁ ଆମେ ଖାଦ୍ଯ ଶସ୍ଯ ଯୋଗାଣ କରୁଛି । ୨୦୦୦ ମସିହାରେ ପ୍ରତି ହେକ୍ଟରରେ ୧ ହଜାର ୪୧ କେଜି ଚାଉଳ ଉତ୍ପାଦନ ହେଉଥିବାବେଳେ ଏବେ ଏହା ୨ ହଜାର ୯୩୬କୁ ବୃଦ୍ଧି ପାଇଛି । ୨ ହଜାର ମସିହାରେ ୩୩ଲକ୍ଷ ଟନ ପରିବାର ଉତ୍ପାଦନ ହେଉଥିବାବେଳେ ଏବେ ଏହା ୩ ଗୁଣ ଅର୍ଥାତ ୯୮ ଲକ୍ଷ ଟନକୁ ବୃଦ୍ଧି ପାଇଛି । କୃଷି କ୍ଷେତ୍ରରେ ଯାନ୍ତ୍ରିକରଣରେ ଆଗେଇଛି ଓଡ଼ିଶା । ଏଥିପାଇଁ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଯନ୍ତ୍ରପାତି କିଣିବାକୁ ୪୦ରୁ ୬୦ପ୍ରତିଶତ ଓ ମହିଳାଙ୍କୁ ୭୫ ପ୍ରତିଶତ ସବସିଡି ମିଳୁଛି । ଶସ୍ଯର ବିବିଧକରଣ କରିଛନ୍ତି ରାଜ୍ଯ ସରକାର । ଓଡ଼ିଶାର ମିଲେଟ ମିଶନ ପୃଥିବୀରେ ଉଦାହରଣ ସାଜିଛି । ଭାରତରେ ପ୍ରଥମ ରାଜ୍ଯ ଭାବେ ମିଲେଟକୁ ଏମଏସପିରେ ସାମିଲ କରିଛି ଓଡ଼ିଶା । ରାସନକାର୍ଡରେ ଗୋଟିଏ ଟଙ୍କାରେ ରାଗି ଦିଆଯାଉଛି । ୩୦ ଜିଲ୍ଲାର ୧୭୭ ବ୍ଲକରେ ମିଲେଟ ମିଶନ ଅଛି । ଏଥିପାଇଁ ନୀତି ଆୟୋଗ ମଧ୍ଯ ଓଡ଼ିଶାକୁ ସମ୍ମାନିତ କରିଛି । ୧୦ ନଭେମ୍ବରକୁ ମିଲେଟ ମିଶନ ଭାବେ ପାଳନ କରୁଛନ୍ତି ରାଜ୍ଯ ସରାକର ।

କୃଷିକ୍ଷେତ୍ରରେ ବିକାଶ ପାଇଁ ୫ଥର କୃଷି କର୍ମଣ ପୁରସ୍କାର ଓଡ଼ିଶା ପାଇଛି । ଏସବୁ ସଫଳତା ଓଡ଼ିଶା ସରକାରଙ୍କ କୃଷି ବିକାଶ ଆଭିମୁଖ୍ଯ ପାଇଁ ସମ୍ଭବ ହୋଇଛି । ସେହିପରି କାଳିଆ ସହାୟତା ଦେଶରେ ଉଦାହରଣ ସାଜିଛି । ରାଜ୍ଯ କ୍ଯାବିନେଟରେ କାଳିଆ ଯୋଜନାର ଅବଧିକୁ ଆହୁରି ୩ ବର୍ଷ ବଢାଇଛନ୍ତି ରାଜ୍ଯ ସରକାର । ଚାଷୀଙ୍କର ଡାଟାବେସ କରାଯାଇ ସେଥିରେ ୭୬ ଲକ୍ଷ ଚାଷୀଙ୍କ ସୂଚନା ରଖାଯାଇଛି । ସରକାରଙ୍କର ସଫଳ ଯୋଜନା ମାଧ୍ଯମରେ ଚାଷୀଙ୍କ ପାଇଁ ସେବାର ସରଳୀକରଣ କରାଯାଇଛି । ଓଡ଼ିଶା ଏକମାତ୍ର ରାଜ୍ଯ ଚାଷୀ ମାନଙ୍କର ସଶକ୍ତିକରଣକୁ ଗୁରୁତ୍ବ ଦେଇଛି । କୃଷି କ୍ଯାବିନେଟ ଓ କୃଷି ବଜେଟ ଆଣିବା ସହ ଜଳସେଚନ କ୍ଷେତ୍ରରେ ଇତିହାସ ଲେଖାହୋଇଛି ।