ବିହାର ବିଧାନସଭା ନିର୍ବାଚନରେ ଜଟିଳ ହେବ ଜାତି ଗଣିତ

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ ଜଟିଳ ହେବ ଜାତି ଗଣିତ  । ରାଜ୍ୟର ଜନସଂଖ୍ୟା ୧୩ କୋଟି ୭୦ ଲକ୍ଷ ହୋଇଥିବାବେଳେ ରାଜ୍ୟରେ ଅଛନ୍ତି ମୋଟ ୨୧୫ ଜାତି  । ଅର୍ଥନୈତିକ ବିକାଶ, ପଛୁଆ ବର୍ଗଙ୍କ ଉନ୍ନତି ଏହି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହୋଇଛି  । ରାଜ୍ୟରେ ହିନ୍ଦୁଙ୍କ ସଂଖ୍ଯା ୮୧.୯% ହୋଇଥିବାବେଳେ ମୁସଲିମ ସଂଖ୍ୟା ୧୭.୭% ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ସଂଖ୍ୟା ରହିଛି ୦.୪%  । ଆରଜେଡି ଓ କଂଗ୍ରେସର ଭୋଟବ୍ୟାଙ୍କ କୁହାଯାଉଥିବା ମୁସଲିମ ଭୋଟ ଏଥର ପ୍ରଭାବିତ ହୋଇପାରେ  । କାରଣ ଏଆଇଏମଆଇଏମ ବହୁ ଆସନରେ ପ୍ରାର୍ଥୀ ଦେଉଛି  ।

ସାଧାରଣ ବର୍ଗରେ ୭ ଜାତି ଥିବାବେଳେ ସେମାନଙ୍କ ଅନୁପାତ ହେଉଛି ୧୫.୪%  । ବ୍ରାହ୍ମଣ- ୩.୫%, ଭୂମିହାର ୨.୯%, ରାଜପୁତ -୩.୪%, କାୟସ୍ଥ-୦.୬%, ଶେଖ -୩.୮%, ପଠାନ- ୦.୭%, ସୟାଦ- ୦.୨% ରହିଛନ୍ତି  । ପଛୁଆ ବର୍ଗରେ ୩୦ ଜାତି ଥିବାବେଳେ ସେମାନଙ୍କ ସଂଖ୍ଯା ରହିଛି ୨୭.୨%  । ଯାଦବଙ୍କ ସଂଖ୍ୟା ୧୪.୩% ହୋଇଥିବାରୁ ଏହା ଆରଜେଡି ଲାଗି ବିଶେଷ ସହାୟକ ହେବ  । ତେବେ ଲାଲୁ ପରିବାରରେ ମତଭେଦ ଯୋଗୁ ଏହି ଭୋଟ ସାମାନ୍ୟ ପ୍ରଭାବିତ ହୋଇପାରେ ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁର୍ମୀ ସମ୍ପ୍ରଦାୟର ହୋଇଥିବାବେଳେ ତାଙ୍କ ଜାତିର ଭୋଟର ସଂଖ୍ୟା ରହିଛି ୨.୯ ପ୍ରତିଶତ  । ଖୁସଓ୍ବାହା ୪.୨% ଥିବାରୁ ଅଧିକାଂଶ ଦଳ ଏହି ବର୍ଗର ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି  । ଏସସି ବର୍ଗରେ ୨୨ ଜାତି ଥିବାବେଳେ ସେମାନଙ୍କ ହାର ହେଉଛି ୧୯.୭%  । ପାଶ୍ବାନଙ୍କ ହାର ୫.୩% ରହିଥିବାରୁ ସେହି ଭୋଟ ଉପରେ ଆଖି ରଖିଛି ଲୋକଜନଶକ୍ତି ପାର୍ଟି(ଆର)  ।