ମେ’ରେ ରେକର୍ଡ ପରିମାଣର ନିଶା ସାମଗ୍ରୀ ଜବତ, ୪୧୪୧ ମାଫିଆ ଗିରଫ

ଭୁବନେଶ୍ବର: ନିର୍ବାଚନ ସମୟରେ ଅବକାରୀ ଧରପଗଡ । ମେ’ ମାସରେ ରେକର୍ଡ ପରିମାଣର ବେଆଇନ ନିଶା ସାମଗ୍ରୀ ଜବତ । ୨୩ ଦିନରେ ୪ ହଜାର ୯୭୬ ମାମଲା, ୪ ହଜାର ୧୪୧ ନିଶା ମାଫିଆ ଗିରଫ ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି । ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨ ହଜାର ୬୧୩ ଲିଟର ଭାରତ ତିଆରି ବିଦେଶୀ ମଦ, ୧୫ ହଜାର ୧୧୬ ଲିଟର ବିୟର, ୫ ହଜାର ୩୦୫ ଲିଟର ମହୁଲି, ୪୧୦ କିଲୋ ଭାଙ୍ଗ, ୧ ହଜାର ୮୫୨ ଲିଟର ଆସ୍କା ଫଟି ଓ ୮୪ ହଜାର ୧୬୩ କେଜି ମହୁଆ ଫୁଲ ଏବଂ ୪୩୪ଟି ଗାଡି ଜବତ । ସେହିପରି ବେଆଇନ ଗଞ୍ଜେଇ, ହେରୋଇନ୍ ଓ କଫ୍ ସିରପ୍ ମାଫିଆଙ୍କ ବିରୋଧରେ ଚାଲିଥିବା ନିରନ୍ତର ଓ ଜୋରଦାର ଅଭିଯାନ ମଧ୍ୟ ବହୁତ ଭଲ ଫଳାଫଳ ଦେଇଛି । ଏହି ଘଟଣାରେ ୧୧୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୦ ଜଣ ମାଫିଆଙ୍କୁ ଗିରଫ କରାଯାଇଛି ।