କୋଭିଡ୍ ବେଳେ କେତେ ପଢ଼ିଛନ୍ତି ପିଲା ? ହେବ ପରୀକ୍ଷା…

ଭୁବନେଶ୍ବର: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର କରାଯିବ ମିଡ୍ ଟର୍ମ ଆସେସମେଣ୍ଟ । ପରୀକ୍ଷାରେ କାହାକୁ ଫେଲ୍ କରାଯିବନି । ଅନ୍ୟ ସ୍କୁଲ ଶିକ୍ଷକ ମୂଲ୍ୟାୟନ କରିବା ସହ ଶିକ୍ଷାଦାନରେ ଆବଶ୍ୟକତା ନେଇ ସମୀକ୍ଷା କରିବେ । ଦୁର୍ବଳତା ପରଖି ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରିବେ । ଶିକ୍ଷାରେ ସଂସ୍କାର ଆଣିବାକୁ ଏପରି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଜିଆଇ ରିପୋର୍ଟରେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଉଲ୍ଲେଖ ରହିଛି ।

ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଫେଲ୍ କରାଯାଇ ପାରିବନାହିଁ । କ୍ଲାସରେ ସେମାନଙ୍କ ଶିକ୍ଷାଗତ ବିକାଶକୁ ସମୀକ୍ଷା କରିବାର ନିୟମ ରହିଛି । କୋଭିଡ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଶିକ୍ଷାଦାନ । ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଅନଲାଇନ୍ କ୍ଲାସରେ ଶିକ୍ଷାଦାନରେ ସମସ୍ୟା ହୋଇଥିଲା । ଏବେ ପୁଣି ଟ୍ରାକକୁ ଫେରୁଛି ଶିକ୍ଷା ବ୍ୟବସ୍ଥା । ଗତ ଦୁଇବର୍ଷରେ କେତେ ପଢ଼ିଛନ୍ତି ପିଲା ? ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷାକୁ ମିଡ ଟର୍ମ ଆସେସମେଣ୍ଟ ଭାବେ ସ୍କୁଲରେ କରାଯିବ । ହେଲେ ମୂଲ୍ୟାୟକ କରିବେ ଅନ୍ୟ ସ୍କୁଲ ଶିକ୍ଷକ । ଛାତ୍ରଛାତ୍ରୀଙ୍କ ବିକାଶ ଓ ଆବଶ୍ୟକତାକୁ ସମୀକ୍ଷା କରାଯିବ । ପରୀକ୍ଷାରେ କାହାକୁ ଫେଲ୍ ନକରି ସେମାନଙ୍କ ଦୁର୍ବଳତା ପରଖି ସୁଧାର ଆଣିବାକୁ ଖସଡ଼ା ପ୍ରସ୍ତୁତ କରାଯିବ ।

କୋଭିଡ ସମୟରେ ଶିକ୍ଷାଦାନରେ ହୋଇଥିବା କ୍ଷତିକୁ ଭରଣା ପାଇଁ ଲର୍ଣ୍ଣିଂ ରିକଭରି ପ୍ରୋସେସ ଆପଣେଇଛନ୍ତି ରାଜ୍ୟ ସରକାର । ସେପଟେ ଅଧିକରୁ ଅଧିକ ଯୋଗ୍ୟ ଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଉଛି । ସ୍କୁଲଗୁଡ଼ିକୁ ୫ଟି ଉପକ୍ରମରେ ରୂପାନ୍ତର କରି ଘରୋଇ ସ୍କୁଲ ଭଳି ନୂଆ ଜ୍ଞାନକୌଶଳରେ ଶିକ୍ଷା ଦିଆଯାଉଛି । ଶିକ୍ଷାର ବିକାଶରେ ଏହା ବଡ଼ ଭୂମିକା ନେଉଥିବା ଶିକ୍ଷକମାନେ ଅନୁଭବ କରିଛନ୍ତି ।

ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଢେର ଆଗେଇଥିବା ନେଇ କେନ୍ଦ୍ର ସରକାରଙ୍କ ପିଜିଆଇ ରିପୋର୍ଟ ମାର୍କିଂ କରିଛି । ଶିକ୍ଷାର ଏପରି ବିକାଶ ଯୋଗୁଁ ଦେଶର ଶ୍ରେଷ୍ଠ ୧୦ରାଜ୍ୟ ଭିତରେ ଓଡ଼ିଶାକୁ ସ୍ଥାନ ମିଳିଛି ।