ଅଣ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ସାମୟିକ ଛୁଟି ୧୫ ଦିନ ବଢ଼ିଲା

1 min read

ଭୁବନେଶ୍ବର: ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପରେ ଅଣ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ସାମୟିକ ଛୁଟି ୧୫ ଦିନ ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଘୋଷଣା । ମହିଳା କର୍ମଚାରୀଙ୍କ ପାଇଁ ୧୮୦ ଦିନର ମାତୃତ୍ୱ ଛୁଟି ବ୍ୟବସ୍ଥା କରାଯାଇଛି । ୧୬ ବର୍ଷ ପରେ ଉଚ୍ଚତର ବେତନ ହାର ସ୍ତରରେ ମିଳିବ ପ୍ଲେସମେଣ୍ଟ ସ୍କେଲ ସୁବିଧା । ସେହିପରି  ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ୧୭ ହଜାର ୫ ଶହ କର୍ମାଚରୀ ଉପକୃତ ହେବେ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ ।

ସେହିପରି ମୁଖ୍ୟମନ୍ତ୍ରୀ  ବିଭିନ୍ନ ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ  ସେବା ସମୟରେ ମୃତ୍ୟୁବରଣ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା (Ex-Gratia) ରାଶି ଯଥାକ୍ରମେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଓ ୧.୫୦ ଲକ୍ଷରୁ ୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଇତି ମଧ୍ଯରେ କ୍ଯାବିନେଟ, ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କୁ ଷାଠିଏ ବର୍ଷ ବୟସରେ ସେବା ନିବୃତ୍ତି ସମୟରେ ଏକକାଳୀନ ରାଶି ଭାବରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଯଥାକ୍ରମେ ୧୯ ଲଧ ଓ ୫ ଲକ୍ଷ ପ୍ରଦାନ ପାଇଁ ନିଷ୍ପତ୍ତି  ହୋଇଛି ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ବ୍ଲକ ଗ୍ରାଣ୍ଟ କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧୭ ହଜାର ୫୦୦ କର୍ମଚାରୀ ଉପକୃତ ହେବେ ।