ବିଶ୍ବକପ୍ ମହାମୁକାବିଲା: ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାସମର ଆଜି

1 min read

ଅହମ୍ମଦାବାଦ: ଅହମ୍ମଦାବାଦରେ ମହାସମର । ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ୨୦୦୩ ବିଶ୍ବକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ । ଅପରାଜୟ ଭାବେ ଟିମ୍ ଇଣ୍ଡିଆ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ପ୍ଲେଇଂ ଇଲେଭେନରେ ଅଶ୍ୱିନୀଙ୍କୁ ସ୍ଥାନ ମିଳିବା ନେଇ ରୋହିତ ଶର୍ମାଙ୍କ ସଙ୍କେତ । ଭାରତ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ଅଷ୍ଟେଲିଆ ଷଷ୍ଠ ଥର ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଆପ୍ରାଣ ଉଦ୍ୟମ କରିବ ।

ଭାରତ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ଗୁରୁତ୍ବପୂର୍ଣ୍ଣ ରହିବ । ବ୍ୟାଟିଂରେ ରୋହିତ ଏବଂ ବିରାଟ ଶତକ ଛିଡ଼ା କରିପାରନ୍ତି । ସେହିପରି ବୋଲିଂରେ ପ୍ରଥମ ୧୦ ଓଭରରେ କଙ୍ଗାରୁ ଟିମକୁ ଝଟକା ଦେଲେ ବିଶ୍ବକପ ଉପରେ କବଜା ନିଶ୍ଚିତ । ଆଜିର ମହାମୁକାବିଲା ଲାଗି ଭାରତ ବୋଲିଂରେ କିଛିଟା ପରିବର୍ତ୍ତନ ମଧ୍ୟ କରିପାରେ । ସମସ୍ତ ୧୪୦ କୋଟି ଭାରତୀୟ ଆଶା ରୋହିତ ବାହିନୀ ଉପରେ ରହିଛି । ଅହମ୍ମଦାବାଦରେ ଏହି ମହାମୁକାବିଲାର ସାକ୍ଷୀ ରହିବେ ୧ ଲକ୍ଷ ୪୦ ହଜାରରୁ ଅଧିକ ଦର୍ଶକ । ଅପରାହ୍ନ ୨ଟାରେ ଆରମ୍ଭ ହେବ ମ୍ୟାଚ ।

ଗୁଜରାଟ ଅହମ୍ମବାଦରେ ଜମିବ ଖେଳ ସହ ଉତ୍ସବର ଆସର । ବିଶ୍ବକପ ଫାଇନାଲକୁ ନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରମ୍ଭରୁ ଦର୍ଶକଙ୍କୁ୍ ଦେଖିବାକୁ ମିଳିବ ଭାରତୀୟ ବାୟୁସେନାର କଳାକୌଶଳ । ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଆକାଶରେ କୌଶଳ ପ୍ରଦର୍ଶନ କରିବେ । ସାଢେ ଗୋଟାଏରୁ ୨୦ ମିନିଟ ଧରି ଚାଲିବ ଏ ରୋମାଂଚ ।