ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ମୁମ୍ବାଇ: ଟିମ ଇଣ୍ଡିଆର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ । ଚଳିତ ବିଶ୍ବକପରେ ଅପରାଜେୟ ରହିବା ସହ ଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡକୁ  ୭୦ ରନରେ ହରାଇଲା ରୋହିତ ବାହିନୀ । ମହମ୍ମଦ ସାମିଙ୍କ ଘାତ ବୋଲିଂ ଦଳକୁ ବିଜୟର ସ୍ବାଦ ଚଖାଇଛି । ସାମି ୭ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ବିଶ୍ବକପ ଫାଇନାଲରେ ଭାରତ । ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲକୁ ଗଲା ଟିମ ଇଣ୍ଡିଆ । କଡ଼ା ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଛି ଟିମ୍ ଇଣ୍ଡିଆ । ଏହାସହିତ ୨୦୧୯ ସେମିଫାଇନାଲର ପ୍ରତିଶୋଧ ନେଇଛି ଭାରତ । ଟିମ୍ ଇଣ୍ଡିଆର ବିଶାଳ ୩୯୮ରନର ଟାର୍ଗେଟକୁ ପିଛା କରି ୩୨୭ ରନରେ ଅଲଆଉଟ ହୋଇଗଲା ନ୍ୟୁଜିଲାଣ୍ଡ । ଭାରତର ମହମ୍ମଦ ସାମି ସର୍ବାଧିକ ୭ଓ୍ବିକେଟ ନେଇଥିବାବେଳେ ବୁମରା, ସିରାଜ ଓ କୁଲଦୀପ ଗୋଟିଏ ଲେଖାଏ ଓ୍ବିକେଟ ନେଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରି ଦମଦାର ଆରମ୍ଭ କରିଥିଲା ଭାରତ । କ୍ୟାପଟେନ ରୋହିତ ଶର୍ମା ଧୂଆଁଧାର ବ୍ୟାଚିଂ କରିଥିଲେ । ହେଲେ ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ । ପରେ ଶୁବମାନ ଗିଲ ଓ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ଶୁବମନ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ । ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ । ବିରାଟ ଐତିହାସିକ ଶତକୀୟ ପାରି ଖେଳିବା ସହ ବିଶ୍ବରେକର୍ଡ କରିଥଇଲେ । ଦିନିକିଆରେ ୫୦ ତମ ଶତକ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ କାଟିଦେଇଥିଲେ ବିରାଟ । ସଚିନ ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ବିରାଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ ।

ପରେ ଶ୍ରେୟସ ଆୟରଙ୍କ ସାଥ ଦେଇଥିଲେ କେ.ଏଲ୍ ରାହୁଲ । ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ୭୦ ବଲରେ ୧୦୫ ରନ କରି ପାଭିଲିଅନ ଫେରିଥିଲେ । ବଡ଼ ସଟ ଖେଳିଯାଇଯାଇ ସୂର୍ଯ୍ୟକୁମାର ଯାଦବ ଆଉଟ ହେବା ପରେ ରିଟାର୍ଡ ହଟ ହୋଇଥିବା ଶୁବମନ ଗିଲ ପୁଣି ପଡ଼ିଆକୁ ଓହ୍ଲାଇଥିଲେ ।କେ.ଏଲ୍ ରାହୁଲ ୨୦ବଲରେ ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁବମନ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ ସାଉଥୀ ୩ଟି ଓ୍ବିକେଟ ନେଇଲେ । ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ କରି ନ୍ୟୁଜିଲାଣ୍ଡ ଆଗରେ ବିଶାଳ ଟାର୍ଗେଟ ରଖିଥିଲା ଭାରତ ।

୩୯୮ ରନ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା । ଦଳୀୟ ସ୍କୋର ୩୯ ଥିବାବେଳେ ଦଳର ଦୁଇଟି ଓ୍ବିକେଟର ପତନ ହୋଇଥିଲା। ପରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ସାମିଙ୍କ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ମିଚେଲ ସର୍ବାଧିକ ୧୩୪ ରନ କରିଥିଲେ । ଓ୍ବିଲସମ ୬୯ ରନ କରିଥିବାବେଳେ ଫିଲିପ୍ସ ୪୧ ରନ କରିବାକୁ ସକ୍ଷମ ହୋଇଥିଲେ । ୪୮ ଦଶମିକ ୫ ଓଭରରେ ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲାଆଉଟ ହୋଇଯାଇଥିଲା । ଫଳରେ ଭାରତ ବିଶ୍ବକପ ଫାଇନାଲକୁ ଯାଇଛି ।