ଭାରତକୁ ପୁଣି ଚକମା ଦେଖାଇପାରେ ଚୀନ୍, ସୀମାରେ ସାମରିକ କ୍ଷମତା ବଢ଼ାଇବା ଲାଗି ଡ୍ରାଗନର ଉଦ୍ୟମ

ନୂଆଦିଲ୍ଲୀ: ଭାରତକୁ ପୁଣି ଚକମା ଦେଖାଇପାରେ ଚୀନ । ସୀମାରେ ନିଜର ସାମରିକ କ୍ଷମତା ବଢାଇବା ଲାଗି ଡ୍ରାଗନ କରୁଛି ଯୋଜନା । ଗଲଓ୍ବାନ ସଂଘର୍ଷ ପରି ଅନ୍ୟ ଏକ ଘଟଣା ଘଟିବାର ଆଶଙ୍କା ଏବେ ଘନୀଭୂତ ହେଉଛି । ଗଲଓ୍ବାନ ସଂଘର୍ଷରେ ଚୀନ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା, ଠିକ୍ ସେହି ଧରଣରୁ ଉନ୍ନତ ଅସ୍ତ୍ରଶସ୍ତ୍ର ଚୀନ କ୍ରୟ କରୁଥିବା ସୂଚନା ମିଳିଛି । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସମ୍ଭାବ୍ୟ ସଂଘର୍ଷ ଘଟିଲେ ଏହି ଅସ୍ତ୍ରଗୁଡିକୁ ବ୍ୟବହାର କରିବାକୁ ଚୀନ ଲକ୍ଷ୍ୟ ରଖିଛି । ଚୀନର ପିପୁଲସ୍ ଲିବରେସନ ଆର୍ମି ବା ପିଏଲଏ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଭିନ୍ନ ଧରଣର ଅସ୍ତ୍ର କ୍ରୟ କରାଯାଇଛି । ଏହି ଆଧୁନିକ ଅସ୍ତ୍ର ଗୁଡିକରେ ଧାରଯୁକ୍ତ କଣ୍ଟା ରହିଛି ।

ଦୁଇ ଦେଶ ମଧ୍ୟରେ ସ୍ଥିରତା ବଜାୟ ରଖିବା ଲାଗି ଉଦ୍ୟମ ଚାଲିଥିଲେ ମଧ୍ୟ ଚୀନ ପକ୍ଷରୁ ଦଗା ଦେବା ଲାଗି ଯୋଜନା କରାଯାଉଥିବା ସୂଚନା ମିଳିଛି । ଏହି ସ୍ବତନ୍ତ୍ର ଧରଣର ଅସ୍ତ୍ର କ୍ରୟ ପ୍ରକ୍ରିୟା ଗତ ଜାନୁଆରୀରୁ ଆରମ୍ଭ ହେବା ପରେ ଏବେ ତାହା କିଣାଯାଇଥିବା ସୂଚନା ମିଳିଛି । ଏହି ସ୍ବତନ୍ତ୍ର ଅସ୍ତ୍ରଗୁଡିକୁ ଚୀନର ତିଆନଜିନରେ ବି ପୋଲିସ ପକ୍ଷରୁ ବ୍ୟବହୃତ ହୋଇଥିବା ଜଣାଯାଇଛି । ଏହି ସ୍ବତନ୍ତ୍ର ଧରଣର ଅସ୍ତ୍ରର ଲମ୍ବା ୧.୮ ମିଟର ହୋଇଥିବା ବେଳେ ତିନି ଭାଗରେ ଏହା ବିଭକ୍ତ । ଏହାର ରଡଟି ଜିଙ୍କ ଷ୍ଟିଲ ପାଇପରେ ନିର୍ମିତ ।