ଦେଶରେ ଦିନକରେ ଚିହ୍ନଟ ହେଲେ ୬୨,୭୧୪ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ୍ । ଦିନକରେ ୬୨ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଆଜିର କରୋନା ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୫୫୨ରେ ପହଞ୍ଚିଛି । ୨୪ଘଣ୍ଟାରେ ୨୮,୭୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଆକ୍ଟିଭ କେସ୍ ୪ ଲକ୍ଷ ୮୬ ହଜାର ୩୧୦ଥିବା  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେପଟେ ଦେଶରେ ଜୋରସୋରରେ ଚାଲିଛି ଟିକାକରଣ ।

ସେହିପରି ମହାରାଷ୍ଟ୍ରରେ ଉଦବେଗଜନକ ସ୍ଥିତି ରହିଥିବାରୁ କଟକଣା ଲଗାଇଛନ୍ତି ଉଦ୍ଧବ ସରକାର । କରୋନା ସଂକ୍ରମଣକୁ ଚେକ୍‌ ଦେବା ପାଇଁ ମହାରାଷ୍ଟ୍ର ସରକାର ଆଜିଠାରୁ ସାରା ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ଜାରି କରିଛନ୍ତି  । ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଏହାସହ ମୁମ୍ବାଇର କିଛି ସ୍ଥାନରେ ରାତ୍ରି ୧୦ଟାରୁ କଟକଣା ଜାରି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି ।

Leave a Reply