ଦେଶରେ ୪୩ ଲକ୍ଷ କରୋନା ସଂକ୍ରମିତ, ୨୪ ଘଣ୍ଟାରେ ୯୦ ହଜାର ନୂଆ ସଂକ୍ରମିତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦୁନିଆରେ ସବୁଠୁ ଦ୍ରୁତ ଗତିରେ କରୋନା ସଂକ୍ରମଣ ଭାରତରେ ବୃଦ୍ଧି ପାଉଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୮୯ ହଜାର ୭୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୭ ତାରିଖରେ ୯୦ ହଜାର ୮୦୨ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥଲା । ୨୪ ଘଣ୍ଟା ମଧ୍ୟରେ ୧୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଦୁଇ ସେପ୍ଟେମ୍ବରରୁ ପ୍ରତିଦିନ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ଲକ୍ଷ ପାଖାପାଖି ପହଞ୍ଚିଛି । ଦୁନିଆରେ ସର୍ବାଧିକ ସଂକ୍ରମିତ ଆମେରିକାରେ ଚିହ୍ନଟ ହୋଇଛନ୍ତି । ତେବେ, ଭାରତରେ ପ୍ରତିଦିନ ଆମେରିକା ତୁଳନାରେ ଭାରତରେ ୩ ଗୁଣ କରୋନା କେସ୍ ମିଳୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ଟପିଛି । ଏଥିରୁ ୭୩ ହଜାର ୮୯୦ ଜଣଙ୍କ ମୃତ୍ୟୁ ହୋଇଛି । ୮ ଲକ୍ଷ ୯୭ ହଜାର ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୩୩ ଲକ୍ଷ ୯୮ ହଜାର ଲୋକ ସୁସ୍ଥ ହୋଇଛନ୍ତି । ସକ୍ରିୟ ସଂକ୍ରମଣ ମାମଲାର ତିନିଗୁଣା ଅଧିକ ଲୋକ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

୫ କୋଟିରୁ ଅଧିକ ନମୁନା ଟେଷ୍ଟ

ICMR ଅନୁସାରେ, ସେପ୍ଟେମ୍ବର ୮ ସୁଦ୍ଧା ୫ କୋଟି ୧୮ ଲକ୍ଷ ସାମ୍ପୁଲ୍ ପରୀକ୍ଷା କରାଯାଇଛି । ଯେତେବେଳେ କି ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି । ପଜିଟିଭ୍ ରେଟ୍ ୭ ପ୍ରତିଶତରୁ କମ୍ ରହିଛି । କରୋନା ଭାଇରସ ସଂକ୍ରମଣ ମାମଲାର ୫୪ ପ୍ରତିଶତ ମାମଲା ୧୮ ବର୍ଷରୁ ୪୪ ବୟସ୍କ । ତେବେ କରୋନା ମୃତ୍ୟୁର ୫୧ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟସ୍କ ।

ହ୍ରାସ ପାଉଛି ମୃତ୍ୟୁଦର

ଆଶ୍ୱସ୍ତିର କଥା ହେଉଛି ଦେଶରେ ମୃତ୍ୟୁହାର ଓ ସକ୍ରିୟ ସଂକ୍ରମଣ ମାମଲା ଧିରେ ଧିରେ କମିବାରେ ଲାଗିଛି । ମୃତ୍ୟୁହାର ୧.୬୯ ପ୍ରତିଶତକୁ ଖସି ଆସିଥିବା ବେଳେ ସକ୍ରିୟ ସଂକ୍ରମଣ ମାମଲା ଯେଉଁମାନଙ୍କ ଚିକିତ୍ସା ଚାଲିଛି ତାହା ୨୧ ପ୍ରତିଶତ ରହିଛି । ଏଥିସହ ରିକଭରି ରେଟ୍ ୭୮ ପ୍ରତିଶତ ରହିଛି । ଅର୍ଥାତ୍ ଦେଶରେ ସୁସ୍ଥତା ହାର ବଢ଼ିବାରେ ଲାଗିଛି ।

ଦେଶରେ ସବୁଠୁ ଅଧିକ କରୋନା ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି । ମହାରାଷ୍ଟ୍ରରେ ୨ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଦ୍ୱିତୀୟରେ ତାମିଲନାଡ଼ୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜରାଟ ଓ ପଞ୍ଚମରେ ପଶ୍ଚିମବଙ୍ଗ ରହିଛି । ଏହି ୫ଟି ରାଜ୍ୟରେ କରୋନା ସଂକ୍ରମଣର ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ୍ ପରେ ଭାରତ ରହିଛି ।

Leave a Reply