ଦେଶରେ ୨୪ ଘଣ୍ଟାରେ ୯୧ ହଜାର ୭୦୨ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ତଳକୁ ଖସୁଛି କରୋନା ଗ୍ରାଫ୍ । ଯଦିଓ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି ତଥାପି ପରିସ୍ଥିତି ଏବେ ମଧ୍ୟ ନିୟନ୍ତ୍ରଣକୁ ଆସିପାରି ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଯଦି କରୋନା ନିର୍ଦ୍ଦେଶାବଳୀ ପାଳନ ନ କରାଯାଏ ତେବେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିପାରେ । ଗତ ୨୪ ଘଣ୍ଟାରେ ଦେଶରେ ୯୧ ହଜାର ୭୦୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ସଂକ୍ରମଣରେ ଦିନକରେ ୩୪୦୩ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ସଂକ୍ରମିତ ସଂଖ୍ୟା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ ଲକ୍ଷ ୨୧ ହଜାର ୬୭୧ଟି ଆକ୍ଟିଭ୍ କେସ ଥିବାବେଳେ ୨ କୋଟି ୭୭ ଲକ୍ଷ ୯୦ ହଜାର ୭୩ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୬୩ ହଜାର ୭୯ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର କରୋନା ସଂକ୍ରମଣ କମିବାରେ ଲାଗିଛି ।

ଗୁରୁବାର ଦିନ, ମହାରାଷ୍ଟ୍ରରେ ୧୨,୨୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୯୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପରେ ରାଜ୍ୟରେ ମୋଟ ମାମଲା ୫୮,୭୬,୦୮୭କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୧,୦୩,୭୪୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଗତ ତିନି ଦିନ ମଧ୍ୟରେ ରେକର୍ଡ ହୋଇଥିବା ମାମଲା ତୁଳନାରେ ଗୁରୁବାର ରେକର୍ଡ ହୋଇଥିବା ମାମଲା ସାମାନ୍ୟ ଅଧିକ ରହିଛି । ଗତ କିଛି ଦିନ ହେବ, ଦୈନିକ ସଂକ୍ରମଣ ପ୍ରାୟ ୧୦ହଜାରକୁ ଖସି ଆସିଥିଲା। ଚଳିତ ବର୍ଷ ମାର୍ଚ୍ଚ ୯ରେ ରାଜ୍ୟରେ ୯୯୨୭ ଟି ମାମଲା ସାମ୍ନାକୁ ଆସିଥିଲା ।

Leave a Reply