ଦ୍ବିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ ୧୧ରେ କାହାକୁ ମିଳିବ ସ୍ଥାନ?

ବିଶାଖାପାଟଣାମ୍: ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ପରାସ୍ତ ହୋଇଥିବାବେଳେ ବିଶାଖାପାଟଣାମରେ ବିଜୟ ହେବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ତେବେ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନ ହେବାକୁ ଯାଉଛି । ଦୁଇଜଣ ନୂଆ ଖେଳାଳିଙ୍କ ମଧ୍ୟରୁ ଜଣେ ଡେବ୍ୟୁ କରିବାର ସମ୍ଭାବନା ଅଧିକ ରହିଛି । ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ. ରାହୁଲ ଆହତ ହେବା ପରେ ସେମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିପାରେ । ରଜତ ପଟିଦାର ଏବଂ ସର୍ଫରାଜ ଖାନଙ୍କ ମଧ୍ୟରୁ ଜଣେ ଡେବ୍ୟୁ କରିବାର ସମ୍ଭାବନା ଅଧିକ ରହିଛି ।

ଉଭୟ ରଜତ ପଟିଦାର ଏବଂ ସର୍ଫରାଜ ଦମଦାର ଫର୍ମରେ ରହିଛନ୍ତି । ରଣଜୀରେ ଭଲ ପ୍ରଦର୍ଶନ କରିଥିବାବେଳେ ଆଇପିଏଲରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଏଣୁ ଏମାନଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଟିମ ଇଣ୍ଡିଆର ବ୍ୟାଟିଂ କୋଚ କହିଛନ୍ତି ପ୍ଲେଇଙ୍ଗ ୧୧ରେ କାହାକୁ ସ୍ଥାନ ମିଳିବ ତାହା ଶେଷ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ । ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ଏହି ନିଷ୍ପତ୍ତି ନେବେ । ଶୁଭମନ ଗିଲ ଏବଂ ଶ୍ରେୟସ ଆୟାର ଖରାପ ଫର୍ମରେ ପ୍ରଥମ ଟେଷ୍ଟରେ ପ୍ରଦର୍ଶନ କରିଥିଲେ । ଏଣୁ ଏମାନଙ୍କ ମଧ୍ୟରୁ କେହି ଦ୍ବିତୀୟ ଟେଷ୍ଟରେ ମଧ୍ୟ ସ୍ଥାନ ନପାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଇଂଲଣ୍ଡ ୫ଜଣ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ନିକଟରେ କୋଚ ବ୍ରେଣ୍ଡମ ମ୍ୟାକୁଲମ କହିଥିଲେ । ମାତ୍ର ଏଯାବତ ଇଂଲଣ୍ଡର ପ୍ଲେଇଙ୍ଗ ୧୧ ମଧ୍ୟ ଘୋଷଣା କରାଯାଇନାହିଁ ।