ମୁକ୍ତ ସାମ୍ବାଦିକତା କ୍ଷେତ୍ରରେ ଭାରତ ଅତ୍ୟନ୍ତ ସଙ୍ଗୀନ ଦେଶ

ନୂଆଦିଲ୍ଲୀ: ମୁକ୍ତ ସାମ୍ବାଦିକତା କ୍ଷେତ୍ରରେ ଭାରତ ଏକ ଅତ୍ୟନ୍ତ ସଙ୍ଗୀନ ଦେଶ । ରିପୋର୍ଟର୍ସ ଓ୍ବିଦାଉଟ୍ ବଡର୍ସ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ବ ଫ୍ରୀଡମ୍ ଇଣ୍ଡେକ୍ସ ତାଲିକାରେ ଭାରତ ଅତ୍ୟନ୍ତ ସଙ୍ଗୀନ ସ୍ଥିତିରେ । ପ୍ରତିବର୍ଷ ୧୮୦ ଦେଶକୁ ନେଇ ହେଉଥିବା ସର୍ଭେରେ ଏଥର ଭାରତ ୧୬୧ ନମ୍ବର ସ୍ଥାନରେ ରହିଛି । ୨୦୨୨ରେ ୧୫୦ ତମ ସ୍ଥାନରେ ଥିବା ଭାରତ ଏଥର ପୁଣି ତଳକୁ ଖସିଛି । ୩୬.୬୨ ପ୍ରତିଶତ ସ୍କୋର ସହ ଭାରତ ୧୬୧ ତମ ସ୍ଥାନରେ ଥିବା ବେଳେ ଏହା ଉପରକୁ ପାକିସ୍ତାନ ୧୫୦ ତମ ସ୍ଥାନରେ ବେଳେ ଆଫଗାନିସ୍ତାନ ୧୫୨, ସୁଦାନ ୧୪୮ ସ୍ଥାନରେ ରହିଛି । ନରଓ୍ବେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଚୀନ୍ ଶେଷରେ ଅଛି । ବିଭିନ୍ନ କାରଣ ଯୋଗୁଁ ଭାରତ ପ୍ରେସ୍ ସ୍ବାଧୀନତା ତାଲିକାରେ ତଳକୁ ଖସୁଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

୨୦୧୩ରୁ ବିଶ୍ବ ପ୍ରେସ ଫ୍ରିଡମ ରିପୋର୍ଟ ପ୍ରକାଶିତ ହେଉଛି । ୨୦୨୩ରେ ପ୍ରେସ୍ ସ୍ବାଧୀନତା ପାଇଁ ଭଲ ଦେଶ ତାଲିକାରେ ୮ଟି ଦେଶ ଥିବା ବେଳେ ସନ୍ତୋଷଜନକ ତାଲିକାରେ ୪୪ଟି ଦେଶ ଅଛନ୍ତି । ପ୍ରେସ୍ ପାଇଁ ସମସ୍ୟାବହୁଳ ଦେଶ ତାଲିକାରେ ୫୫ଟି ଥିବା ବେଳେ, କଷ୍ଟକର ସ୍ଥିତି ତାଲିକାରେ ୪୨ଟି ଏବଂ ଅତି ସଙ୍ଗୀନ ସ୍ଥିତି ତାଲିକାରେ ୩୧ଟି ଦେଶ ରହିଛି । ତାଲିକାରେ ସର୍ବାଗ୍ରେ ନରଓ୍ବେ ଥିବା ବେଳେ ଏହା ପଛକୁ ଆୟାର୍ଲାଣ୍ଡ, ଡେନମାର୍କ, ସ୍ବିଡେନ, ଫିନଲ୍ୟାଣ୍ଡ ରହିଛି । ଭାରତରେ ପ୍ରାୟ ୧ ଲକ୍ଷ ଖବରକାଗଜ ଥିବା ବେଳେ ୩୮୦ଟି ଟିଭି ଚ୍ୟାନେଲ କାମ କରୁଛି । ଗୋଟିଏ କର୍ପୋରେଟ କମ୍ପାନୀ ହାତରେ ୮୦ କୋଟି ଲୋକ ଦେଖୁଥିବା ୭୦ଟି ମିଡିଆ ହାଉସ ଅଛି । ୨୦୧୪ରେ ଭାରତ ୧୪୦ତମ ସ୍ଥାନରେ ଥିବା ବେଳେ ଗତ ୯ ବର୍ଷ ଭିତରେ ସ୍ଥିତି ଆହୁରି ଖରାପ ଆଡ଼କୁ ଯାଇଛି । ୨୦୨୨ ପ୍ରେସ ଫ୍ରିଡମ ଇଣ୍ଡେକ୍ସରେ ଶ୍ରୀଲଙ୍କା ୧୪୬ରୁ ଏଥର ୧୩୫କୁ, ପାକିସ୍ତାନ ୧୫୭ରୁ ଏଥର ୧୫୦କୁ ଉନ୍ନୀତ ହୋଇଥିବା ବେଳେ ଭାରତ ୧୫୦ ସ୍ଥାନରୁ ଏଥର ୧୬୧ ସ୍ଥାନକୁ ଖସିଛି ।