ଏସିଆ କପ୍: ଭାରତକୁ ୬ ୱିକେଟରେ ହରାଇଲା ଶ୍ରୀଲଙ୍କା, ଫାଇନାଲ୍ ଯିବା ଆଶା ଭାଙ୍ଗିଲା

1 min read

ଦୁବାଇ: କର ବା ମର ମୁକାବିଲାରେ ଭାରତର ପରାଜୟ । ଏସିଆ କପର ସୁପର-୪ ମ୍ୟାଚରେ ଶ୍ରୀଲଙ୍କାଠୁ ପରାଜିତ ହୋଇ ଭାରତୀୟ ଦଳ ଏକପ୍ରକାର ଫାଇନାଲ ରେସରୁ ବାଦ୍ ପଡିଛି । ପ୍ରଥମେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହିପରି ଭାରତକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ୧୭୩ ରନ୍ ସଂଗ୍ରହ କରିଥିଲା । ହେଲେ ଶ୍ରୀଲଙ୍କା ୧୯.୫ ଓଭରରେ ୪ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ୧୭୪ ରନ୍ ହାସଲ କରିନେଇଛି । ଭାରତ ଲଗାତାର ଦୁଇଟି ମ୍ୟାଚ ହାରି ଫାଇନାଲ ଯିବା ଆଶା ଭାଙ୍ଗିଯାଇଛି ।

ଆଜିର ମ୍ୟାଚରେ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କେଏଲ ରାହୁଲ ଏବଂ ରୋହିତ ଶର୍ମା କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଭାରତ ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା । ମାତ୍ର ୬ ରନ୍ କରି ରାହୁଲ ପାଭେଲିଅନ ଫେରିଯାଇଥିଲେ । ତାଙ୍କ ସ୍ଥାନରେ କୋହଲି ଆସିଥିଲେ । ହେଲେ ସେ ମଧ୍ୟ ୪ଟି ବଲ୍ ଖେଳି କିଛି ରନ୍ ନକରିପାରି ଆଉଟ୍ ହୋଇଯାଇଥିଲେ । ବିରାଟଙ୍କ ଆଉଟ୍ ପରେ ସମସ୍ତେ ଆଶା ଛାଡି ଦେଇଥିଲେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ତାଙ୍କୁ ସାଥ୍ ଦେଇଥିଲେ ।

ରୋହିତ ୪୧ ବଲ୍ ଖେଳି ୭୨ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ୨୯ ବଲ୍ ଖେଳି ୩୪ ରନ୍ କରିଛନ୍ତି । ଏହି ଦୁଇଜଣ ଆଉଟ୍ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଶ୍ରୀଲଙ୍କା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ୧୭ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ । ଶେଷ ସମୟରେ ଅଶ୍ନିନୀ ୭ ଟି ବଲ୍ ଖେଳି ୧୫ ରନ୍ କରି କ୍ରୀଜରେ ଦଣ୍ଡାୟମାନ ଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ସଫଳ ବୋଲିଂ କରି ୪ ଓଭରରେ ୨୪ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ସି କରୁଣାରତ୍ନେ ଏବଂ ଶନକା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏମ ଥିକଶାନା ମଧ୍ୟ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ ।

ଶ୍ରୀଲଙ୍କା ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପତୁମ ନିସାଙ୍କ ଏବଂ କୁସାଲ ମେଣ୍ଡିସ ଚମତ୍କାର ପ୍ରଦର୍ଶନ କରିଥିଲେ । ପଥୁମ ନିସାଙ୍କ ୩୭ ବଲରେ ୫୨ ରନର ଉଚ୍ଚକୋଟୀର ଇନିଂସ ଖେଳିଥିଲେ । ସେହିପରି କୁସଲ ମେଣ୍ଡିଂସ ୩୭ ବଲ୍ ଖେଳି ୫୭ ରନ୍ କରିଥିଲେ । ପ୍ରଥମ ୱିକେଟ୍ ଯିବାବେଳକୁ ଶ୍ରୀଲଙ୍କା ୯୭ ରନ୍ ସଂଗ୍ରହ କରିସାରିଥିଲା । ଏହି ଦୁଇଜଣଙ୍କ ଜୋଡି ଭାଙ୍ଗିବାରେ ଭାରତୀୟ ବୋଲର ସକ୍ଷମ ହୋଇଥିଲେ ।

ପ୍ରଥମ ୱିକେଟ୍ ଯିବାବେଳକୁ ଭଲ ସ୍ଥିତିରେ ପହଞ୍ଚି ସାରିଥିଲା ଦଳ । ଶେଷ ଭାଗରେ ଭାନୁକା ରାଜପକ୍ଷ ଏବଂ ଦସୁନ ଶଙ୍କରା ବିଜୟୀ ଇନିଂସ ଖେଳିଛନ୍ତି । ମ୍ୟାଚ ଜିତିବା ବେଳକି ଉଭୟ ଅପରାଜିତ ରହିଥିଲେ । ଭାନୁକା ୧୭ ବଲରେ ୨୫ ରନ୍ କରିଥିବା ବେଳେ ଶଙ୍କରା ୧୮ ବଲ୍ ଖେଲି ୩୩ ରନ୍ କରିଥିଲେ । ଏଥିସହ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ୱିକେଟ୍ ନେବାରେ ସଫଳ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ୱିକେଟ୍ ନେବାକୁ ସଫଳ ହୋଇଥିଲେ । ଅନ୍ୟ ବୋଲରମାନେ କୌଣସି ୱିକେଟ ନେବାରେ ସଫଳ ହୋଇନଥିଲେ ।

ଶ୍ରୀଲଙ୍କା ଲଗାତାର ଦୁଇଟି ମ୍ୟାଚ୍ ଜିତି ଫାଇନାଲକୁ ଯିବାର ବାଟ ସଫା କରିଦେଇଛି । ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଗୋଟିଏ ମ୍ୟାଚ ଜିତି ଶ୍ରୀଲଙ୍କା ପଛକୁ ରହିଛି । ଯଦି ପାକିସ୍ତାନ ନିଜର ଦୁଇଟି ମ୍ୟାଚ୍ ଅର୍ଥାତ ଶ୍ରୀଲଙ୍କା ଏବଂ ଆଫଗାନୀସ୍ତାନ ଠାରୁ ପରାଜିତ ହେଉଛି ଭାରତ ଫାଇନାଲକୁ ଯିବାର ସମ୍ଭାବନା ରହିଛି । ଏଥିରେ ରନରେଟ୍ ମୁଖ୍ୟ ଭୁମିକା ଗ୍ରହଣ କରିବ । ଏଥିସହିତ ଆଫଗାନୀସ୍ତାନ ବିପକ୍ଷ ଆଗମୀ ୮ ତାରିଖ ମ୍ୟାଚରେ ଭାରତକୁ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ । ତେବେ ଏହି ସମ୍ଭାବନା ବହୁତ କମ୍ ରହିଛି ।