କାହିଁକି ବଦଳିବ ଇଣ୍ଡିଆର ନାଁ ?

1 min read

ନନ୍ଦିଘୋଷ ବ୍ୟୁରୋ: କାହିଁକି ବଦଳିବ ଇଣ୍ଡିଆର ନାଁ । ନାଁ ବଦଳିଲେ ବଦଳିବ କି ବିଶ୍ବରେ ଦେଶର ପରିଚୟ । ବଦଳିବ କି ଆର୍ଥିକ ସ୍ଥିତି । ବଦଳିବ କି ଦେଶରେ ଥିବା କୁସଂସ୍କାର । ନା କେବଳ ଆତ୍ମସନ୍ତୋଷ ପାଇଁ ଦେଶର ନାଁ ବଦଳାଇବାକୁ ଚାଲିଛି ଯୋଜନା । ଇଣ୍ଡିଆର ନା ବଦଳାଇ ଭାରତ ରଖିବାକୁ ଚାଲିଛି କସରତ୍‌ । ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଆଣିପାରନ୍ତି ପ୍ରସ୍ତାବ । ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଲେଖାଯିବା ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବାରୁ ବିବାଦ ସୃଷ୍ଟି ହୋଇଛି ।

ଇଣ୍ଡିଆକୁ ନେଇ ମହା`ଭାରତ` । ଦୁଇଟି ନାଁ, ଗୋଟିଏ ଦେଶ  । ନାଁ ବଦଳାଇବାକୁ ନେଇ ଭାଗ ଭାଗ ପୂରାଦେଶ  । ଇଣ୍ଡିଆ ବନାମ ଭାରତ । ଦେଶର ନାଁ ବଦଳାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା । ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଆଣିପାରନ୍ତି ପ୍ରସ୍ତାବ । ନାଁ ବଦଳାଇବାକୁ ନେଇ ସାରା ଦେଶରେ ଚର୍ଚ୍ଚା । କାହିଁକି ଦେଶର ନାଁ ଇଣ୍ଡିଆ ଲାଗୁଛି ଅଡୁଆ ? ଦେଶର ନାଁ ବଦଳାଇଲେ ଦେଶର ଭବିଷ୍ୟତ ଉପରେ କଣ ପଡ଼ିବ ପ୍ରଭାବ ? ବିଶେଷ କରି ଗୋଟିଏ ସମୁଦାୟକୁ ଭାରତ ନାଁ ପସନ୍ଦ ଆସୁଥିବା ବେଳେ ଆଉ ଗୋଟିଏ ସମୁଦାୟ ଏହା ପଛର ଯୁକ୍ତି ଉପରେ ପ୍ରଶ୍ନ ଉଠାଇଛି । ଦେଶର ସମ୍ବିଧାନରେ ଇଣ୍ଡିଆର ନାଁ ଥିବା ବେଳେ ଧାରା ୧ରେ ଇଣ୍ଡିଆ ହିଁ ଭାରତ ବୋଲି କୁହାଯାଇଛି । ତାକୁ ମଧ୍ୟ ବଦଳାଯିବ କି ବୋଲି ପ୍ରଶ୍ନ ଉଠିଛି । ଯଦିଓ କେନ୍ଦ୍ର ସରକାର ଏନେଇ କୌଣସି ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଅତୀତରେ ବିଜେପିର ବିଭିନ୍ନ ଯୁକ୍ତି ଭାରତ ନାଁ ପ୍ରତି ଥିବା ଦୁର୍ବଳତା ଥିବା ପରିପ୍ରକାଶ କରିଛି । ଆରଏସଏସ ମଧ୍ୟ ଇଣ୍ଡିଆକୁ ସବୁବେଳେ ଭାରତ ବୋଲି ସମ୍ବୋଧନ କରିଥାଏ । ଏହି ଚିନ୍ତାଧାରାର ବ୍ୟକ୍ତି ଏବେ କେନ୍ଦ୍ରରେ ଥିବାରୁ ଇଣ୍ଡିଆର ନାଁ ବଦଳିବ ବୋଲି ଯଥେଷ୍ଟ ସମ୍ଭାବନା ରହିଛି ।

ଇଣ୍ଡିଆର ନାଁ ଭାରତ ବିବାଦ କାହିଁକି ? G-20 ଶିଖର ସମ୍ମିଳନୀ ପୂର୍ବରୁ ଏହି ବିବାଦର ମୂଳଦୁଆ ପଡ଼ିଛି  । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ୍ୟ ଭୋଜିର ନିମନ୍ତ୍ରଣ ପତ୍ରକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ରହିଛି । ଏ ନେଇ ଟୁଇଟର ହ୍ୟାଣ୍ଡେଲରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଆସନ୍ତା ୯ ତାରିଖରେ ରାଷ୍ଟ୍ରପତି ଭବନରେ ରାତ୍ରଭୋଜନ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ କରାଯାଇଛି ବୋଲି ଜୟରାମ ରମେଶ କହିଛନ୍ତି । ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ ରଖାଯିବା ପରେ ଏହି ନାଁ ଚର୍ଚ୍ଚାରେ ରହିଛି । ବିଜେପି ନେତା ଲଗାତାର ମେଣ୍ଟ ନାଁକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବାକୁ ପୂର୍ବରୁ ବିଜେପି ସାଂସଦ ଦାବି କରିଛନ୍ତି । ଇଣ୍ଡିଆ ନାଁକୁ ନେଇ ବିଜେପି ଭିତରେ ରହିଥିବା ଡର, ଭୟକୁ ସ୍ପଷ୍ଟ ଦର୍ଶାଉଛି । 2024ରେ ବିଜେପିର ପତନ ସୁନିଶ୍ଚିତ । ଇଣ୍ଟରନାଲ ସର୍ଭେରୁ ଏହି ରିପୋର୍ଟ ଜାଣିବା ରେ ବିଜେପି ଭୟଭୀତ ହୋଇପଡ଼ିଛି ବୋଲି କଂଗ୍ରେସ ଓ ଆରଜେଡି କହିଛି ।

ଦେଶର ନାଁ ବଦଳାଇଲେ ଏହା ସାର୍ବଜନୀନ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିବ  । ଦେଶ ସ୍ବାଧୀନତା ହେବା ପରଠାରୁ ସବୁ କ୍ଷେତ୍ରରେ ଇଣ୍ଡିଆର ନାଁ ବ୍ୟବହାର ହେଉଥିବା ବେଳେ ଏହାକୁ ମଧ୍ୟ ବଦଳାଇବାକୁ ପଡ଼ିବ । ଇଣ୍ଟରନେଟ ଡୋମେନଠୁ ଆରମ୍ଭ କରି ସରକାରୀ ଯୋଜନା, ଶିକ୍ଷାନୁଷ୍ଠାନ, ସରକାରୀ ସଂସ୍ଥାରେ ବ୍ୟବହାର ହେଉଥିବା ଇଣ୍ଡିଆ ଶବ୍ଦକୁ ବଦଳାଇବାକୁ ପଡ଼ିବ  । ପାସପୋର୍ଟରେ ଥିବା ରିପବ୍ଲିକ ଅଫ ଇଣ୍ଡିର ନାମ ବଦଳାଇ ଭାରତ କରିବାକୁ ପଡିବ । ଇଣ୍ଡିଆର ସମ୍ବିଧାନକୁ ବଦଳାଇ ଭାରତର ସମ୍ବିଧାନ କରିବାକୁ ପଡ଼ିବ ।