ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର ବଡ଼ ପଦକ୍ଷେପ
1 min read
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର ବଡ଼ ପଦକ୍ଷେପ। ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି । ପାକିସ୍ତାନୀଙ୍କ ଭିସା ରଦ୍ଦ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି (ସିସିଏସ) ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆତଙ୍କୀଙ୍କୁ ଦୃଢ ଜବାବ ଦେବାକୁ ପ୍ରସ୍ତୁତ ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିସ୍ରି ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସିସିଏସ ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପାକିସ୍ତାନ ସହ ସିନ୍ଧୁ ଜଳ ବୁଝାମଣା ରଦ୍ଦ କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ନାଗରିକଙ୍କ ସମସ୍ତ ଭିସା ବାତିଲ । ୭ ଦିନ ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନ ହାଇକମିଶନରେ ଥିବା ସେନା ଅଧିକାରୀ । ମେ ପହିଲାରୁ ହାଇକମିଶନରେ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରାଯାଇଛି । ଇସଲାମାବାଦରୁ ମଧ୍ୟ ଭାରତ ନିଜର ସେନାଅଧିକାରୀଙ୍କୁ ପ୍ରତ୍ୟାହାର କରିବ । ଆତଙ୍କବାଦୀଙ୍କ ବିରୋଧରେ ନିଆଯିବ ଜିରୋ ଟଲରାନ୍ସ ପଦକ୍ଷେପ । ଅଟାରୀ ସୀମା ଚେକ୍ ପୋଷ୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି । ଭାରତୀୟ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ।
ଯେଉଁମାନେ ଘଟଣାରେ ସଂପୃକ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହା ସହିତ, ଭାରତ ପାକିସ୍ତାନରୁ ଏହାର କୂଟନୀତିଜ୍ଞଙ୍କୁ ଫେରାଇ ନେଉଛି ଓ ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।