ପାକିସ୍ତାନର ୫ ଖେଳାଳିଙ୍କୁ ସତର୍କ ନରହିଲେ ମ୍ୟାଚ୍ ହାରିବ ଭାରତ

1 min read

ଦୁବାଇ: ଆଉ କିଛି ସମୟ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏସିଆ କପ୍ ସୁପର-୪ ମ୍ୟାଚରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଗ୍ରୁପ୍ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ଥିଲେ ବି ଏହି ମ୍ୟାଚକୁ ହାଲକାରେ ନେବା ଉଚିତ ନୁହେଁ । କାରଣ ପାକିସ୍ତାନ ଟିମରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କ ପ୍ରଦର୍ଶନ ଭାରତ ପାଇଁ ପରାଜୟର କାରଣ ପାଲଟିପାରେ । ଆସନ୍ତୁ ଜାଣିବା ପାକିସ୍ତାନ ଟିମର ଏମିତି ୫ ଜଣ ଖେଳାଳିଙ୍କ ସମ୍ପର୍କରେ, ଯାହାଙ୍କୁ ନେଇ ଭାରତୀୟ ଟିମ୍ ସତର୍କ ନରହିଲେ ପରାଜୟ ନିଶ୍ଚିତ ।

ମହମ୍ମଦ ରିଜଓ୍ବାନ: ପାକିସ୍ତାନ ଟିମର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଦମଦାର ଫର୍ମରେ ଅଛନ୍ତି । ଭାରତ ବିପକ୍ଷରେ ୪୩ ରନ୍ କରି ସେ ତାଙ୍କ ଫର୍ମ ଦେଖାଇଛନ୍ତି । ସେହିପରି ହଂକଂ ବିରୋଧରେ ତାଙ୍କ ବ୍ୟାଟରୁ ୭୮ ରନ୍ ବାହାରିଥିଲା । ରିଜଓ୍ବାନଙ୍କୁ ଶୀଘ୍ର ଆଉଟ କରି ପାକିସ୍ତାନ ଟିମ ଉପରେ ଚାପ ସୃଷ୍ଟି କରିବା ଭାରତୀୟ ଖେଳାଳିଙ୍କ ପ୍ରୟାସ ହେବା ଆବଶ୍ୟକ ।

ମହମ୍ମଦ ନଓ୍ବାଜ: ସ୍ପିନ ବୋଲର ମହମ୍ମଦ ନଓ୍ବାଜ ଏସିଆ କପରେ ୬ ଓ୍ବିକେଟ ନେଇ ସାରିଛନ୍ତି । ଗତ ମ୍ୟାଚରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଆଉଟ କରି ବଡ଼ ବଡ଼ ଖେଳାଳିଙ୍କୁ ପଡ଼ିଆ ବାହାରର ରାସ୍ତା ଦେଖାଇବାକୁ କ୍ଷମତା ରଖନ୍ତି ବୋଲି ପ୍ରମାଣିତ କରିସାରିଛନ୍ତି । ସେହିପରି ଶେଷ ଓଭରରେ ରବୀନ୍ଦ୍ର ଜାଡେଜାଙ୍କୁ ଆଉଟ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ ।

ନସୀମ ଶାହ: ଦ୍ରୁତ ବୋଲର ନସୀମ ଶାହ ପାକିସ୍ତାନ ଟିମକୁ ଶାହୀନ ଆଫ୍ରିଦଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇନାହାନ୍ତି । ଭାରତ ବିପକ୍ଷରେ ଡେବ୍ୟୁ କରିବା ସହ ପ୍ରଥମ ଓଭରରେ କେଏଲ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରି ନିଜ ଦକ୍ଷତା ଦେଖାଇ ସାରିଛନ୍ତି । ପରେ ସୂର୍ଯ୍ୟକୁମାର ଯାଦବ ବି ତାଙ୍କ ଶିକାର ହୋଇଥିଲେ । ସେହିପରି ହଂକଂ ବିପକ୍ଷରେ ମଧ୍ୟ ସେ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ତାଙ୍କ ବଲ୍ ପିଚରେ କାମ କଲେ ଭାରତକୁ ରନ ବନାଇବା କଷ୍ଟକର ହୋଇଯିବ ।

ବାବର ଆଜମ: ପାକିସ୍ତାନ ଅଧିନାୟକ ବାବର ଆଜମ ଏସିଆ କପରେ ବେଶି କିଛି କମାଲ ଦେଖାଇ ପାରିନାହାନ୍ତି । ଭାରତ ବିରୋଧରେ ମାତ୍ର ୧୦ କରିଥିବା ବେଳେ ହଂକଂ ବିପକ୍ଷରେ ୯ ରନ କରିବାକୁ ସକ୍ଷମ ହୋଇଥିଲେ । ବାବର ଫର୍ମରେ ନଥିଲେ ବି ଭାରତୀୟ ଟିମକୁ ତାଙ୍କୁ ହାଲକାରେ ନେବା ଭାରି ପଡ଼ିପାରେ ।

ଖୁଶଦିଲ ଶାହ: ହଂକଂ ବିପକ୍ଷ ମ୍ୟାଚରେ ଖୁଶଦିଲ ଶାହ ଦେଖାଇ ସାରିଛନ୍ତି, ଶେଷ ଓଭରରେ କେମିତି ଧୁଆଁଧାର ବ୍ୟାଟିଂ କରି ରନ୍ ବନାଇ ହେବ । ଏହାସହ ସେ ତାଙ୍କ ବ୍ୟାଟିଂ ଦକ୍ଷତା ମଧ୍ୟ ଦେଖାଇଛନ୍ତି । ଏମିତି ସ୍ଥିତିରେ ଯଦି ପାକିସ୍ତାନ ରନ୍ ଚେଜ କରେ ଓ ଶେଷ ଓଭର ଆଡକୁ ଖୁଶଦିଲ କ୍ରିଚରେ ଥାନ୍ତି ତେବେ ଭାରତୀୟ ବୋଲରଙ୍କୁ ତାଙ୍କ ବ୍ୟାଟରେ ଅଙ୍କୁଶ ଲଗାଇବାକୁ ପୂରା ଦମ୍ ଲଗାଇ ଦେବାକୁ ପଡ଼ିବ ।