କାନାଡା ପ୍ରତିନିଧିଙ୍କୁ ଭାରତର ସମନ, ସାଧାରଣ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ

1 min read

ଅଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୁଙ୍କ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ । ଏହାକୁ ନେଇ ତୀବ୍ର ବିରୋଧ କରିଛି ଭାରତ । କାନାଡାର ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ । ଏହି ଘଟଣା ଭାରତ-କାନାଡା ସମ୍ପର୍କରେ ପ୍ରଭାବ ପକାଇବ ବୋଲି କହିଛି ଭାରତ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କାନାଡାରେ ଘଟିଥିବା ଏହି ଘଟଣା ବିଚ୍ଛିନ୍ନତାବାଦ, ଆତଙ୍କବାଦ ଓ ହିଂସାକୁ ପ୍ରୋତ୍ସାହିତ କରିବ ।

ଖଲାସା ଦିବସ ପାଳନ ଅବସରରେ ଜଷ୍ଟିନ ଭାଷଣ ଦେବା ଲାଗି ଷ୍ଟେଜକୁ ଯିବା ମାତ୍ରେ ଖାଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଶୁଭିଥିଲା । ଶିଖ ଆତଙ୍କବାଦୀ ନେତା ହରଦୀପ ସିଂ ନିଜାର ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ରହିଛି ବୋଲି ଗତବର୍ଷ ଜଷ୍ଟିନ କହିଥିବାରୁ ଦୁଇ ଦେଶ ମଧ୍ଯରେ କୂଟନୈତିକ ସମ୍ପର୍କ ବାଧାପ୍ରାପ୍ତ ହୋଇଥିଲା ।

ଏହାକୁ ନେଇ କାନାଡାରେ ନିଜ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ଭାରତ ହ୍ରାସ କରିଥିବାବେଳେ ଭାରତରୁ ୪୧ ଜଣ କୂଟନୀତିଜ୍ଞ ଓ ସେମାନଙ୍କ ପରିବାରକୁ ହଟାଇ ନେଇଥିଲା ବ୍ରିଟେନ । ସେପଟେ ନ୍ୟୁୟର୍କ ଷ୍ଟେଟ ଅଫିସକୁ ନିର୍ବାଚିତ ପ୍ରଥମ ପଞ୍ଜାବୀ-ଆମେରିକୀୟ ପ୍ରତିନିଧି ଜେନିଫର ରାଜକୁମାରଙ୍କୁ ନେଇ ଚର୍ଚ୍ଚା । ନ୍ୟୁୟର୍କରେ ଆୟୋଜିତ ଶିଖ୍ ଦିବସ ପରେଡରେ ସେ ଉଦବୋଧନ ଦେବା ସହ ସେ ଶିଖ ସମ୍ପ୍ରଦାୟକୁ ପ୍ରଶଂସା କରିଥିଲେ । ତେବେ ତାଙ୍କ ସଭାରେ ଖାଲିସ୍ତାନୀ ପତାକା ସ୍ଥାନ ପାଇବାକୁ ନେଇ ଭାରତ ପକ୍ଷରୁ ପ୍ରକାଶ କରାଯାଇଛି ଉଦବେଗ ।

ନ୍ୟୁୟର୍କରେ ଆୟୋଜତି ଶିଖ୍ ଦିବସ ପରେଡ ବା ଖଲାସା ଦିବସ ବା ବୈଶାଖୀ ଉତ୍ସବକୁ ନେଇ ଏବେ ଚର୍ଚ୍ଚା । ଏହି ଉତ୍ସବକୁ ନେଇ ସେ ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ଖଲିସ୍ତାନ ପତାକା ଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ସମ୍ପର୍କରେ କେତେକ ବ୍ଯକ୍ତି ମତ ଦେଇଛନ୍ତି- ଖଲିସ୍ତାନୀଙ୍କ ଆତଙ୍କରାଜ କାରଣରୁ ଏୟାଇ ଇଣ୍ଡିଆ ଫ୍ଲାଇଟ 182 ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିଲେ ୩୨୯ ଯାତ୍ରୀ । ଏୟାର ଇଣ୍ଡିଆ ବିମାନ କନିଷ୍କକୁ ୧୯୮୫ ଜୁନ୍ ୨୩ରେ ଆତଙ୍କୀମାନେ ଉଡାଇଦେଇଥିଲେ ।