ଭାରତର ୩ ଖେଳାଳୀ ରନ୍ ଆଉଟ୍,୧୨ ବର୍ଷ ପରେ ପୁଣି ଲଜ୍ଜାଜନକ ରେକର୍ଡ୍

1 min read

ସିଡନି ଟେଷ୍ଟର ତୃତୀୟ ଦିନ ଭାରତୀୟ ବ୍ୟାଟସମ୍ୟାନ୍ ଏକରକମ ଆତ୍ମସମର୍ପଣ କରିଛନ୍ତି । ଅଷ୍ଟ୍ରେଲିଆ ବୋଲର ଭାରତୀୟ ଟିମକୁ ୨୪୪ ରନରେ ଅଲଆଉଟ୍ କରି ୯୪ ରନର ମଜବୁତ ସ୍ଥିତିରେ ଅଛି ।

ଭାରତ ପାଇଁ କେବଳ ଶୁଭମନ ଗିଲ(୫୦) ଓ ଚେତେଶ୍ୱର ପୁଜାରା(୫୦) ଅର୍ଧଶତକ କରିପାରିଛନ୍ତି । ଭାରତୀୟ ବ୍ୟାଟସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସହିତ ତିନୋଟି ରନ୍ ଆଉଟ୍ ଭାରତୀୟ ଆଶାକୁ ଧୂଳିସାତ୍ କରିଦେଇଛି ।

ଟିମ୍ ଇଣ୍ଡିଆର ପ୍ରଥମ ଇନିଂସରେ ହନୁମା ବିହାରୀ(୪),ରବିଚନ୍ଦ୍ରନ ଅଶ୍ୱିନ(୧୦) ଓ ଜଶପ୍ରିତ ବୁମରାହ(୦) ରନଆଉଟ୍ ହୋଇଥିଲେ । ଏହାସହିତ ଟିମ୍ ଇଣ୍ଡିଆ ନାମରେ ଏଭଳି ଲଜ୍ଜାଜନକ ରେକର୍ଡ ଲିପିବଦ୍ଧ ହୋଇଛି ଯାହାକୁ ଅନ୍ୟକୌଣସି ଟିମ୍ ଚାହିଁବ ନାହିଁ ।

ଭାରତର ଟେଷ୍ଟ୍ ଇତିହାସରେ ସପ୍ତମ ଥର ପାଇଁ ଗୋଟିଏ ଟେଷ୍ଟ୍ ଇନିଂସରେ ତିନି କିମ୍ବା ତା’ଠାରୁ ଅଧିକ ବ୍ୟାଟସମ୍ୟାନ୍ ରନ ଆଉଟ୍ ହୋଇଛନ୍ତି । ୧୨ ବର୍ଷ ତଳେ ୨୦୦୮ରେ ଇଂଲଣ୍ଡ ବିରୋଧରେ ମୋହାଲି ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରେନ୍ଦ୍ର ସହବଗା,ଯୁବରାଜ ସିଂହ ଓ ଭିଭିଏସ୍ ଲକ୍ଷ୍ମଣ ରନ୍ ଆଉଟ୍ ହୋଇଥିଲେ ।

ଭାରତୀୟ ଇନିଂସର ୬୮ ଓଭରରେ ନାଥନ ଲିଓନଙ୍କ ବଲରେ ହନୁମା ବିହାରୀ ମିଡ୍ ଅନରେ ସଟ୍ ଲଗାଇଥିଲେ ଓ ରନ୍ ନେବାକୁ ଦୌଡିଥିଲେ । କିନ୍ତୁ ସେଠାରେ ଥିବା ଜୋଶ ହେଜଲଉଡ୍ ଡାଇଭ୍ ମାରି ବଲକୁ ଧରିନେଇଥିଲେ ଓ ୱିକେଟକୁ ଥ୍ରୋ କରିଥିଲେ । ଫଳରେ ହନୁମା ରନ୍ ଆଉଟ୍ ହୋଇଥିଲେ ।

ହନୁମାଙ୍କ ପରେ ଅଶ୍ୱିନ ୯୩ ଓଭରରେ ରନ ଆଉଟ୍ ହୋଇଥିଲେ । ରବିନ୍ଦ୍ର ଜାଡେଜା କେମରନ୍ ଗ୍ରୀନଙ୍କ ବଲକୁ ମିଡ୍ ଅଫକୁ ପଠାଇଥିଲେ । ସେ ଗୋଟିଏ ରନ୍ ନେବାକୁ ଚାହୁଁଥିଲେ । ମିଡ୍ ଅଫରେ ଥିବା କମିଂସ ବଲକୁ ୱିକେଟ କିପରଙ୍କ ପାଖକୁ ଥ୍ରୋ କରିଥିଲେ । ଅଶ୍ୱିନ କ୍ରିଜରେ ପହଂଚିବା ପୂର୍ବରୁ ଷ୍ଟମ୍ପ ଉଡିସାରିଥିଲା ।

ଏହାପରେ ୯୭ ଓଭରରେ ବୁମରାହା ରନ ଆଉଟ୍ ହୋଇଥିଲେ । ଜାଡେଜା ଦୁଇ ରନ୍ ନେବାକୁ ଅସମ୍ଭବ ଚେଷ୍ଟା କରିଥିଲେ,ଯାହାର ଫଳାଫଳ ଥିଲା ବୁମରାହାଙ୍କ ୱିକେଟ୍ ।

କୌଣସି ଗୋଟିଏ ଟେଷ୍ଟରେ ଏପର୍ଯ୍ୟନ୍ତ ସର୍ବାଧିକ ୪ ଜଣ ବ୍ୟାଟସମ୍ୟାନ୍ ପାକିସ୍ତାନ ବିରୋଧରେ ୧୯୫୫ରେ ରନ୍ ଆଉଟ୍ ହୋଇଥିଲେ ।

Leave a Reply