ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବୃହତ ବିଜୟ, ୮ମ ଥର ହେଲା ଚାମ୍ପିଅନ୍

କଲମ୍ବୋ: ଭାରତ ଏସିଆ କପ୍ ଚାମ୍ପିଅନ୍ । ଅଷ୍ଟମ ଥର ପାଇଁ ଟିମ୍ ଇଣ୍ଡିଆ ହେଲା ଚାମ୍ପିଅନ୍ । ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ୍ ହୋଇଛି ଭାରତ । ୫୧ରନ ଟାର୍ଗେଟକୁ ୬ ଓଭର ଗୋଟିଏ ବଲରେ ହାସଲ କରି ଏସିଆ କପ ଚାମ୍ପିଅନ୍ ହୋଇଛି ରୋହିତ ବିଗ୍ରେଡ । ୧୦ ଓ୍ବିକେଟରେ ଟିମ୍ ଇଣ୍ଡିଆ ଟାଇଟଲ୍ ଜିତିବା ସହିତ ୫ ବର୍ଷ ପରେ ପୁଣି ଏସିଆ କପ୍ ଚାମ୍ପିଅନ ହୋଇଛି । ଏହାଛଡ଼ା ଦିନିକିଆରେ ଭାରତ ୧୧ଥର ପାଇଁ ୧୦ ଓ୍ବିକେଟରେ ବିଜୟୀ ହୋଇଛି । କଲମ୍ବୋରେ ଦେଖିବାକୁ ମିଳିଛି ଭାରତୀୟ ବୋଲରଙ୍କ ଜଲଓ୍ବା ।

ଏସିଆ କପ ଫାଇନାଲ୍ ମୁକାବିଲାରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କାକୁ ମାତ୍ର ୫୦ ରନରେ ଅଲଆଉଟ୍ କରିଥିଲା ଭାରତ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ୧୫ ଓଭର ଦୁଇଟି ବଲରେ ମାତ୍ର ୫୦ ରନ କରି ୧୦ ଓ୍ବିକେଟ ହରାଇଥିଲା ଘରୋଇ ଦଳ । ଶୋଚନୀୟ ବ୍ୟାଟିଂ ସହିତ ଏସିଆ କପରେ ଶ୍ରୀଲଙ୍କା ସର୍ବନିମ୍ନ ରନ କରିଥିଲା । ସେପଟେ ଅବିଶ୍ବସନୀୟ ସିରିଜ ଖେଳିଥିଲେ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ । ସିରାଜଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ସିଂହଳୀ ଟିମ୍ ।

ପ୍ରଥମ ଓଭରରେ ହିଁ ବୁମରା କୁଶଲ ପରେରାଙ୍କ ଓ୍ବିକେଟ ନେବାପରେ ଜାଦୁ ଦେଖାଇଥିଲେ ସିରାଜ୍ । ଦ୍ବିତୀୟ ଓଭରରେ ଭାଙ୍ଗିଦେଇଥିଲେ ଟିମ ଶ୍ରୀଲଙ୍କାର ଅଣ୍ଟା । ଗୋଟିଏ ଓଭରରେ ୪ଟି ଓ୍ବିକେଟ ନେଇଥିଲେ ସିରାଜ । ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ତୃତୀୟ ଓଭରରେ ସନକା ଓ ଷଷ୍ଠ ଓଭରରେ କୁଶଲ ମେଣ୍ଡିସଙ୍କୁ ଆଉଟ୍ କରି ୬ ଓ୍ବିକେଟ ନେଇଥିଲେ ସିରାଜ । ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇ ଶ୍ରୀଲଙ୍କାକୁ ଅଲଆଉଟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ।

୫୧ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ରୋହିତଙ୍କ ବଦଳରେ ଶୁଭମନ ଗିଲଙ୍କ ସହିତ ଓପନିଂ କରିଥିଲେ ଇଶାନ କିଷନ । ଉଭୟ ଅପରାଜିତ ରହି ମାତ୍ର ୬ ଓଭର ଗୋଟିଏ ବଲରେ ମ୍ୟାଚ ଜିତିବା ସହିତ ଭାରତକୁ ଏସିଆ କପ ଭେଟିଦେଇଥିଲେ । ଇଶାନ କିଷନ ୨୩ରନ କରିଥିବାବେଳେ ଗିଲ ୨୭ ରନ କରିଥିଲେ । ଭାରତର ବିଜୟ ପରେ ସାରା ଦେଶରେ ଉତ୍ସବ ଦେଖାଦେଇଛି ।