ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା, ତାଲିବାନ କହିଲା ଆମେ ଜାଣିନୁ…

କାବୁଲ: ଆଫଗାନିସ୍ତାନ ଯୁଦ୍ଧରେ ଭାରତୀୟ ଫଟୋ ସାମ୍ବାଦିକ ଡାନିସ ସିଦ୍ଦିକଙ୍କ ମୃତ୍ୟୁ ଘଟଣା ।ଡାନିସଙ୍କ ମୃତ୍ୟୁ ପଛରେ ଆମର ଭୂମିକା ନାହିଁ ବୋଲି କହିଛି ତାଲିବାନ । ତାଲିବାନ କହିଛି ଡାନିସଙ୍କ ମରଶରୀରକୁ ରେଡକ୍ରସ ଆନ୍ତର୍ଜାତିକ କମିଟିକୁ ହସ୍ତାନ୍ତର କରାଯାଇଛି । ତାଙ୍କ ମୃତ୍ୟୁ ସହ ତାଲିବାନ ବାହିନୀର କୌଣସି ସମ୍ପର୍କ ନାହିଁ । ତାଲିବାନ ମୁଖପାତ୍ର ଜାବିଉଲ୍ଲା ମୁଜାହିଦ କହିଛନ୍ତି କାହାର ଗୁଳିମାଡରେ ଡାନିସଙ୍କ ମୃତ୍ୟୁ ଘଟିଲା ତାହା ଆମେ କହିପାରିବୁ ନାହିଁ । ଏହା ସହ ଯୁଦ୍ଧରେ କିଏ ପ୍ରାଣ ହରାଇଲା ତାହା ବି ଆମେ ଜାଣୁନା ।

ସେ କହିଛନ୍ତି କୌଣସି ସାମ୍ବାଦିକ ଯୁଦ୍ଧାଞ୍ଚଳ ଭିତରେ ପ୍ରବେଶ କଲେ ସେ ଆମକୁ ଜଣାଇବା କଥା । ଆମେ ସେହି ବ୍ୟକ୍ତି ବିଶେଷଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବୁ । ଡାନିସଙ୍କ ମୃତ୍ୟୁରେ ଆମେ ଦୁଃଖିତ ବୋଲି ସେ କହିଛନ୍ତି । ମୁମ୍ବାଇ ବାସିନ୍ଦା ଡାନିସ ରଏଟରରେ କାମ କରୁଥିଲେ ଏବଂ ସେ ଆଫଗାନିସ୍ତାନ ଯାଇ ସେଠାରୁ ଅତି ସ୍ପର୍ଶକାତର ସ୍ଥାନରୁ ଫଟୋ ସଂଗ୍ରହ କରୁଥିବାବେଳେ ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଥିଲା । ସମ୍ମାନଜନକ ପୁଲିଜର ପୁରସ୍କାରପ୍ରାପ୍ତ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଥିଲା ।

ତାଙ୍କର ଦୁଃଖଦ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ ଭାରତ ଲାଗି ନିଯୁକ୍ତ ଆଫଗାନ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦ । କାନ୍ଦାହାରର ବୋଲଦାକ ଜିଲ୍ଲାରେ ଚାଲିଥିବା ଯୁଦ୍ଧର ଫଟୋ ଉତ୍ତୋଳନ କରୁଥିବାବେଳେ ଶତ୍ରୁଙ୍କ ଆକ୍ରମଣରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସେ ଜାମିଆ ମିଲିଆ ଇସଲାମିଆରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ସହ ଏଜେକେ ମାସ କମ୍ୟୁନିକେସନ ରିସର୍ଚ୍ଚ ସେଣ୍ଟରରୁ ଡିଗ୍ରୀ ହାସଲ କରିଥିଲେ ।

Leave a Reply