ସିଙ୍ଗାପୁରର ୨ଟି ସାଟେଲାଇଟ୍ ସଫଳତାପୂର୍ବକ ଲଞ୍ଚ୍ କଲା ଇସ୍ରୋ

1 min read

ଅମରାବତୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଶନିବାର ୨ ଟା ୧୯ ମିନିଟରେ ପିଏଲସଏଲଭି-ସି୫୫ ରକେଟରୁ ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ସଫଳତାପୂର୍ବକ ଲଞ୍ଚ୍ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ମହାକାଶ କେନ୍ଦ୍ରରୁ ପଠାଯାଇଥିବା ଏହି ମିଶନରୁ TeLEOS-2 ଏବଂ LUMELITE-4କୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିନ କରାଯାଇଛି । ଏହି ମିଶନରେ ଇସ୍ରୋର ଏକ୍ସପେରିମେଣ୍ଟାଲ ପ୍ଲାଟଫର୍ମ POEM ମଧ୍ୟ ପଠାଯାଇଛି । POEM ମହାକାଶର ଭାକ୍ୟୁମରେ କିଛି ପରୀକ୍ଷଣ କରିବ ।

ଏହା PSLVର ୫୭ତମ ଓଡ଼ାଣ ଥିଲା । POEMର ପୂରା ନାଁ ପିଏସଏଲଭି ଅରବିଟାଲ ଏକ୍ସପେରିମେଣ୍ଟାଲ ମଡ୍ୟୁଲ ଅଟେ । ପିଏଲଏଲଭି ଚାରି ଷ୍ଟେଜର ରକେଟ୍ ଅଟେ । ଏହାର ତିନୋଟି ଷ୍ଟେଜ୍ ସମୁଦ୍ରରେ ପଡ଼ି ଯାଇଥାଏ । ଶେଷ ତଥା ଚତୁର୍ଥ ଷ୍ଟେଜ ଯାହାକୁ ପିଏସ୍ ୪ ମଧ୍ୟ କୁହାଯାଇଥାଏ, ସାଇଟେଲାଇଟକୁ ନିଜ କକ୍ଷାରେ ପହଞ୍ଚାଇବା ପରେ ମହାକାଶର ଅଳିଆ ଭାବେ ରହିଯାଇଥାଏ । ଏବେ ଏହା ଉପରେ ପ୍ରୟୋଗ କରିବା ପାଇଁ POEMର ବ୍ୟବହାର କରାଯିବ । ଏପରି ଚତୁର୍ଥ ଥର କରାଯାଉଛି । ଏହା ପୂର୍ବରୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ୨୬ ମାର୍ଚ୍ଚରେ ବ୍ରିଟେନର ୩୬ ସାଟେଲାଇଟକୁ ଏକା ସାଙ୍ଗରେ ଲଞ୍ଚ୍ କରିଥିଲା ।