ମା’ କାଳୀଙ୍କ ଆପତ୍ତିଜନକ ଫଟୋକୁ ଡିଲିଟ୍ କଲା ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ

1 min read

ନୂଆଦିଲ୍ଲୀ: ଗତ ରବିବାର ଦିନ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋକୁ ଟ୍ୱିଟ୍‌ କରିଥିଲା । ଏହି ଫଟୋ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ୍‌ କରିବା ପରେ ଅନେକ ସମାଲୋଚନାର ଶିକାର ହୋଇଥିଲା । ଏହି ଫଟୋକୁ ନେଇ ଭାରତୀୟମାନେ ସୋସିଆଲ ମିଡିଆରେ ଆପତ୍ତି ଜଣାଇଥିଲେ । ଯାହା ପରେ ମା’ କାଳୀଙ୍କ ଏହି ଆପତ୍ତିଜନକ ଫଟୋ ଡିଲିଟ୍ ହୋଇଥିଲା । ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କଞ୍ଚନ ଗୁପ୍ତା ଏହି ଫଟୋକୁ ନେଇ କହିଛନ୍ତି କି ଏହା ସମଗ୍ର ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ଭାବନା ଉପରେ ଆକ୍ରମଣ । ତେବେ ବହୁ ସମାଲୋଚନା ପରେ ମା’ କାଳୀଙ୍କ ଏହି ଫଟୋ ପାଇଁ ଆଜି ୟୁକ୍ରେନ୍ କ୍ଷମା ପ୍ରାର୍ଥନା କରିଛି ।

ୟୁକ୍ରେନ୍ ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନ ଜାପାରୋଭା ଏକ ଟ୍ୱିଟ୍ କରି କହିଛନ୍ତି କି ମା’ କାଳୀଙ୍କ ବିଷୟରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କରିଥିବା ଟ୍ୱିଟ୍ ପାଇଁ ସେ ଦୁଃଖିତ । ସେ ବହୁରି କହିଛନ୍ତି ଆମେ ଦୁଃଖିତ ଯେ ୟୁକ୍ରେନ୍ ପ୍ରତିରକ୍ଷା   ମନ୍ତ୍ରଣାଳୟ ହିନ୍ଦୁ ଦେବୀ ମା’ କାଳୀଙ୍କୁ ବିକୃତ ଢଙ୍ଗରେ ଚିତ୍ରଣ କରିଛି । ୟୁକ୍ରେନ୍ ଏବଂ ଏହାର ଲୋକମାନେ ଭାରତୀୟ ସଂସ୍କୃତିକୁ ସମ୍ମାନ କରନ୍ତି । ଏହି ଫଟୋଟି ଡିଲିଟ୍ ହୋଇସାରିଛି । ପାରସ୍ପରିକ ସମ୍ମାନ ଏବଂ ବନ୍ଦୁତ୍ୱର ଭାବନାରେ ସହଯୋଗକୁ ଆହୁରି ବଢ଼ାଇବାକୁ ୟୁକ୍ରେନ୍ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।

ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟରେ ଦୁଇଟି ଫଟୋକୁ କଲେଜକୁ କରି ଟ୍ୱିଟ୍ କରିଛନ୍ତି । ପ୍ରଥମ ଚିତ୍ରରେ ଧୂଆଁର ଏକ ବେଲୁନ୍ ଆକାଶକୁ ସ୍ପର୍ଶ କରୁଥିବା ଦେଖାଯାଇଥିଲା । ତେବେ ଦ୍ୱିତୀୟ ଫଟୋରେ ମା’ କାଳୀଙ୍କ ଆପତ୍ତିଜନକ ଫଟୋ ରଖି କ୍ୟାପସନ୍ ଦେଇଛନ୍ତି- ଓ୍ୱାର୍କ ଅଫ୍ ଆର୍ଟ । ତେବେ ଏହି ଫଟୋରେ ହିନ୍ଦୁ ଦେବୀଙ୍କୁ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମାରିଲିନ୍ ମୋନେରୋଙ୍କ ପ୍ରସିଦ୍ଧ ପୋଜରେ ଦର୍ଶାଯାଇଥିଲା । ଏହାକୁ ଦେଖି ଭାରତୀୟମାନେ ସୋସିଆଲ ମିଡିଆରେ ଆପତ୍ତି ଉଠାଇଥିଲେ । ଏହାପରେ ଟ୍ୱିଟରୁ ଏହି ଫଟୋକୁ ଡିଲିଟ୍ କରିଥିଲେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ।