ମେ’ ପରେ ଭାରତରେ ତାଣ୍ଡବ ରଚିବ କରୋନା, ବୈଜ୍ଞାନିକଙ୍କ ଚେତାବନୀ

1 min read

ନୂଆଦିଲ୍ଲୀ: ଏପ୍ରିଲ୍ ମାସରେ କରୋନା ଯୋଗୁଁ ଭାରତରେ ରେକର୍ଡ ସଂଖ୍ୟକ ମୃତ୍ୟୁ ମାମଲା ସମସ୍ତଙ୍କୁ ଚକିତ କରିଛି। ଅନେକ ଅଧ୍ୟୟନରୁ ଜଣା ପଡିଛି, ମେ ମାସ ୧୫ ତାରିଖ ପରେ କରୋନା ପିକରେ ରହିବ । ଯାହା ଭାରତ ପାଇଁ ଖୁବ କଷ୍ଟଦାୟକ ସମୟ ହେବ । ହଙ୍ଗକଙ୍ଗର ଏକ ବ୍ରୋକରେଜ କମ୍ପାନୀ CLSAର ଅଧ୍ୟୟନ ଅନୁସାରେ ଭାରତରେ କରୋନାର ପିକ୍ ଜୁନ୍ ମାସ ଯାଏଁ ରହିବ ।


ବିଶ୍ୱର ଅନେକ ଦେଶ କରୋନାର ଦ୍ୱିତୀୟ ପ୍ରବାହକୁ ସାମ୍ନା କରୁଛି । ଅଧ୍ୟୟନ ଅନୁସାରେ, ଭାରତ ପାଇଁ କରାଯାଇଥିବା ଏହି ଆକଳନ ନିଶ୍ଚିତ ଭାବରେ ଚିନ୍ତାଜନକ । ଯଦି କରୋନା ମାମଲା ଏବଂ ଏଥିରୁ ହେଉଥିବା ମୃତ୍ୟୁ ଜୁନ୍ ମାସ ପର୍ଯ୍ୟନ୍ତ ଲାଗିରହିବ, ତେବେ ପରିସ୍ଥିତି ଭୟାବହ ହୋଇପାରେ ।
ଏହାପୂର୍ବରୁ ଆମେରିକାର ମିଶିଗନ ୟୁନିଭରସିଟିର ମହାମାରୀ ବିଷେଶଜ୍ଞ ଭ୍ରାମର ମୁଖାର୍ଜୀ ମଧ୍ୟ ଭାରତରେ ବଢୁଥିବା କରୋନା ମାମଲା ନେଇ ଟ୍ୱିଟ କରିଛନ୍ତି । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସେ ଚେତାବନୀ ଦେଇଛନ୍ତି, ମେ ମାସ ମଧ୍ୟଭାଗରେ ପ୍ରତିଦିନ ୮ ରୁ ୧୦ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିପାରେ । ଏବଂ ମେ ୨୩ ତାରିଖ ବେଳକୁ ପାଖାପାଖି ୪୫୦୦ ଲୋକ ପ୍ରତିଦିନ କରୋନା ଯୋଗୁଁ ଜୀବନ ହରାଇ ପାରନ୍ତି।


କେବଳ ଏତିକି ନୁହେଁ, ଆଇଆଇଟି ବୈଜ୍ଞାନିକଙ୍କର ଗୋଟେ ଟିମ୍ ମଧ୍ୟ ଏକ ଅଧ୍ୟୟନ ଜାରି କରିଛନ୍ତି । ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ବଢୁଥିବା ମାମଲା ନେଇ ତଥ୍ୟ ପ୍ରକାଶ କରିଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁସାରେ ମେ ମାସ ମଧ୍ୟଭାଗରେ କରୋନା ମାମଲା ୧୦ ଲକ୍ଷ ପର୍ଯ୍ୟନ୍ତ ଆସିପାରେ । କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କକଙ୍କୁ ମଧ୍ୟ ଟିକା ଦେବା କାମ ଆରମ୍ଭ ହୋଇସାରିଛି । ଅଧିକରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇ, ଶୀଘ୍ର ଏହି ମହାମାରୀକୁ ନିୟନ୍ତ୍ରଣ କରାଯିବ ବୋଲି ଆଶା କରାଯାଉଛି।

Leave a Reply