ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ, ୮ରେ ବ୍ରହ୍ମପୁର, ୯ରେ ଭୁବନେଶ୍ୱର ପାଇଁ ବଛାଯିବ ଉପ-ମେୟର

1 min read

ଭୁବନେଶ୍ୱର: ଆସନ୍ତାକାଲି ହେବ କଟକ ଡେପୁଟି ମେୟର ନିର୍ବାଚନ । ଏହା ସହ କାଲି ୧୦୫ ପୌର ଉପାଧ୍ୟକ୍ଷ ପାଇଁ ମଧ୍ୟ ନିର୍ବାଚନ ହେବ । ଏନେଇ ପ୍ରେସମିଟ୍ କରି ସବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପରେ ସେହି ଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।

ସେହିଭଳି ୮ ତାରିଖରେ ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଲାଗି ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହେବ । ମହାନଗର ନିଗମଗୁଡ଼ିକରେ ନିର୍ଦ୍ଧାରିତ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଏହାପରେ ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ମତଦାନ ସରିବା ପରେ ସେହିଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ଓହରିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ ।

ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ନିଜ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ । ସେପଟେ ବିଜେଡି ଜିଲ୍ଲା ସଭାପତିଙ୍କ ପାଖକୁ ଉପ-ମେୟର ତାଲିକା ଆସିଥିବାବେଳେ ଦଳୀୟ ହୁଇପ ଜାରି କରିଛି ବିଜେଡି । ହୁଇପ ନମାନିଲେ କର୍ପୋରେଟର ପଦ ହରାଇବେ ବୋଲି କୁହାଯାଇଛି ।