ସୁରଟ ପରେ ଇନ୍ଦୋରରେ ହେଲା ‘ଖେଳ’, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହର

ଇନ୍ଦୋର: ମଧ୍ୟପ୍ରଦେଶ କଂଗ୍ରେସକୁ ବଡ ଝଟକା ଲାଗିଛି। ଇନ୍ଦୋରରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି। ନାମାଙ୍କନ ପ୍ରତ୍ୟାହାର କରିବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଯାହା ଫଳରେ ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ନାହାଁନ୍ତି।
ସୂଚନା ଅନୁଯାୟୀ, ଇନ୍ଦୋର ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ଶଙ୍କର ଲାଲୱାନୀଙ୍କୁ ବିଜେପି ଟିକେଟ ଦେଇଛି। ନାମାଙ୍କନ ପ୍ରତ୍ୟାହାର କରିବା ପରେ କୈଳାଶ ବିଜୟବର୍ଗିଆ ଟ୍ୱିଟ କରି କହିଛନ୍ତି ଯେ ଇନ୍ଦୋରରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଜୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି।
इंदौर से कांग्रेस के लोकसभा प्रत्याशी श्री अक्षय कांति बम जी का माननीय प्रधानमंत्री श्री @narendramodi जी, राष्ट्रीय अध्यक्ष श्री @JPNadda जी, मुख्यमंत्री @DrMohanYadav51 जी व प्रदेश अध्यक्ष श्री @vdsharmabjp जी के नेतृत्व में भाजपा में स्वागत है। pic.twitter.com/1isbdLXphb
— Kailash Vijayvargiya (Modi Ka Parivar) (@KailashOnline) April 29, 2024
ଇନ୍ଦୋରରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ଯୋଗଦେବା ନେଇ କଂଗ୍ରେସ ନେତା ମୁକେଶ ନାୟକ କହିଛନ୍ତି, ଏହା ଦଳ ପ୍ରତି ଏକ ବଡ ବିଶ୍ୱାସଘାତକତା। ନିର୍ଲଜପଣର ସମସ୍ତ ସୀମା ଅତିକ୍ରମ କରିଛି ବିଜେପି। ଖଜୁରାହୋ ପରି ବର୍ତ୍ତମାନ ଇନ୍ଦୋରରେ ମଧ୍ୟ ଦଳ ଅନ୍ୟ କାହାକୁ ଟିକେଟ୍ ଦେବା ନେଇ ଚିନ୍ତା କରିବ।
ଅକ୍ଷୟ ବାମ ଗତ ଏପ୍ରିଲ ୨୪ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଇନ୍ଦୋର, ଉଜୈନ, ଧାର ସମେତ ଆଠଟି ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟରେ (ମେ ୧୩) ରେ ଭୋଟିଂ ହେବ । ଅପରପକ୍ଷେ ନିକଟ ଅତୀତରେ ଗୁଜୁରାଟର ସୁରଟ ଲୋକସଭା ଆସନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କିଛି ତ୍ରୁଟି ପାଇଁ ରିଟର୍ଣ୍ଣିଂ ଅଫିସର କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ବାତିଲ କରିଦେଇଥିଲେ।