ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ

ଭୁବନେଶ୍ବର: ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଏକ ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ । ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି । ତପନଙ୍କ ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ ।

ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ବର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଉଦ୍ଧାର ଉଦ୍ଧାର କରାଯାଇଛି ।ଗତକାଲି ଅପରାହ୍ନରେ ମୈତ୍ରୀବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହୁଥିଲେ। ଗତକାଲି ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ କେମିତି ଶିଳ୍ପପତିଙ୍କ ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।