ପଶ୍ଚିମବଙ୍ଗରେ ସରିଲା ପଞ୍ଚାୟତ ନିର୍ବାଚନ, ହେଲେ ସରିନି ସାଇଡ ଇଫେକ୍ଚ

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସରିଲା ପରେ ବି ତାର ଏବେ ସାଇଡ ଇଫେକ୍ଟ ଜାରି ରହିଛି । ରାଜନୈତିକ ହିଂସା ଥମୁନି । ଟିଏମସିର ଜଣେ ଦଳୀୟ କର୍ମୀ ତଥା ବୁଥ ସଭାପତିକୁ ହତ୍ୟା କରିଛନ୍ତି ଆଇଏସଏଫ କର୍ମୀ ।

ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ଏ ପର୍ଯ୍ୟନ୍ତ ୩୭ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟପଟେ ଦକ୍ଷିଣ ୨୪ ପରଗଣା ଜିଲ୍ଲା ଇଟଖୋଲା ପଞ୍ଚାୟତ ଗାଜିପଡାର ଟିଏମସି ଦଳ ବୁଥ ସଭାପତି ନାଟୁ ଗାଜି ଗତକାଲି ରାତିରେ ବଜାରରୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଲୁହା ରଡରେ ନିର୍ମମ ମାଡ଼ ମାରି ସଡ଼କରେ ଫିଙ୍ଗି ପଳାଇ ଯାଇଥିଲେ ।

ପରେ ଗୁରୁତର ଭାବେ ରକ୍ତାକ୍ତ ଅବସ୍ଥାରେ ନାଟୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିତ୍ତରଞ୍ଜନ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ନାଟୁଙ୍କ ମୃତ୍ୟୁ ହୋଇଯାଇଥିଲା ।