ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର କରିବ ଜଳସଂପଦ ବିଭାଗ: ବୁଡ଼ିବନି ଜଙ୍ଗଲ ଜମି କି ଗାଁ

ଭୁବନେଶ୍ୱର,(ପ୍ରିୟ ପ୍ରୀତମ ମହାନ୍ତି): ୨୦୨୫ ସୁଦ୍ଧା ନିୟନ୍ତ୍ରଣ ହେବ ବନ୍ୟା । ଏପରିକି ବନ୍ୟା ଜଳକୁ ଗଚ୍ଛିତ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଲଗାଯିବ । ଏ ନେଇ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ନଦୀ ଜଳକୁ ସଂରକ୍ଷଣ କରି ହେବ । ଯାହା ଦ୍ୱାରା ବନ୍ୟାକୁ ନିୟନ୍ତ୍ରଣ କରାଯାଇ ଅନ୍ୟାନ୍ୟ କ୍ଷେତ୍ରରେ ବିନିଯୋଗ କରାଯାଇପାରିବ । ତେବେ କାମ ଆରମ୍ଭରେ ଲାଗିଛି କରୋନା ମାଡ଼ ।

ଏଣିକି କାମରେ ଲାଗିବ ବନ୍ୟା ଜଳ  । କ୍ଷତିକୁ ନେଇ ଦୂର ହେବ ଆଶଙ୍କା । ବନ୍ୟା ଜଳକୁ ସଂରକ୍ଷଣ କରିବାକୁ ଆରମ୍ଭ ହେବ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଯୋଜନା । ଏହା ଦ୍ୱାରା ନଦୀ ଭିତରେ ହିଁ ନଦୀ ଜଳ ସଂରକ୍ଷିତ କରାଯାଇ ପାରିବ । ଯାହା ଭୂତଳ ଜଳକୁ ଉପରକୁ ଉଠାଇବାରେ ସହୟକ ହେବ । ପ୍ରତି ନଦୀର ବ୍ୟବଧାନରେ ଏହି କାର୍ଯ୍ୟ କରାଯିବ । ଏନେଇ ୧୧,୭୧୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ୬ ବର୍ଷ ଭିତରେ ଏହି କାମ ସରିବ ।

ଯୋଜନା ଅନୁସାରେ, ଋଷିକୂଲ୍ୟା, ବ୍ରାହ୍ମଣୀ, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ପରି ୪୦ଟି ନଦୀ ଧାରାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଫଳରେ ଜଳ ସଙ୍କଟ ଆଶଙ୍କା ତ ଦୂର ହେବ, ତା ସହ ବନ୍ୟା ଜଳକୁ ବି ଅନ୍ୟାନ୍ୟ କାମରେ ସୁବିନିଯୋଗ କରାଯାଇ ପାରିବ । ତେବେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ମାତ୍ରେ ଲକଡାଉନ ହେବାରୁ କାର୍ଯ୍ୟ ଧିମେଇ ଯାଇଛି । ହେଲେ ଠିକଣା ସମୟରେ କାମ ସାରିବାକୁ ଲକ୍ଷ୍ୟ ରଖିଛି ଜଳସଂପଦ ବିଭାଗ ।

ବିଭିନ୍ନ ସମୟରେ ନଦୀ ଜଳ ବ୍ୟବହାର ନ ହେବାରୁ ସମୁଦ୍ରକୁ ପଳାଉଛି । ତେବେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ବନ୍ୟା ଜଳର ସ୍ତରକୁ ବଢିବାକୁ ଦେବ ନାହିଁ । ଏଥି ପାଇଁ କିଛି କିଛି ବ୍ୟବଧାନରେ ନଦୀମାନଙ୍କରେ ବ୍ୟାରେଜ ନିର୍ମାଣ କରାଯିବ । ସେହି ଜଳକୁ ଜଳସେଚନ, ଜଳ ଯୋଗାଣ, ଇନଲାଣ୍ଡ ନାଭିଗେସନ ଓ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରାଯାଇପାରିବ । ସ୍ୱଳ୍ପ ବର୍ଷା ଯୋଗୁଁ ଏଯାଏ ମହାନଦୀ ଉପରମୁଣ୍ଡ କି ତଳମୁଣ୍ଡରେ ପାଣି ନାହିଁ । ଯେଉଁଥି ପାଇଁ ସମ୍ଭାବ୍ୟ ବନ୍ୟା ଆକଳନ କରି ହୋଇନି ।

Leave a Reply