ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ : ଆଦାନୀ ଗ୍ରୁପ ସେୟାରରେ ୭ ପ୍ରତିଶତ ହ୍ରାସ, ନିବେଶକଙ୍କର ଡୁବିଲା ୫୩ ହଜାର କୋଟି ଟଙ୍କା

ମୁମ୍ବାଇ : ଦଲାଲ ଷ୍ଟ୍ରିଟରେ ସୋମବାର ଦିନ ଆଦାନୀ ଗ୍ରୁପର ସେୟାର ଚିତପଟାଙ୍ଗ ମାରିଛି । ହିଣ୍ଡେନବର୍ଗର ରିପୋର୍ଟ ପ୍ରଭାବରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନିର ସେୟାର ମୂଲ୍ୟରେ ୭ ପ୍ରତିଶତ ହ୍ରାସ ଆସିଛି । ଫଳରେ ନିବେଶକ ୫୩ ହଜାର କୋଟି ଟଙ୍କା ହରାଇଛନ୍ତି । ସୋମବାର ଦିନ ବଜାର ଖୋଲିବା ସହିତ ସୂଚକାଙ୍କର ହାଲୁକା ହ୍ରାସ ପରିଲକ୍ଷିତ ହୋଇଥିଲା । ସେନସେକ୍ସ ୪୨୫ ପଏଣ୍ଟ ହ୍ରାସ ସହିତ ୭୯ ହଜାର ୩୩୦ରେ ଖୋଲିଥିଲା । ସେହିଭଳି ନିଫ୍ଟି ସୂଚକାଙ୍କ ୪୭ ପଏଣ୍ଟ ହ୍ରାସ ସହିତ ୨୪ ହଜାର ୩୨୦ରେ ଖୋଲିଥିଲା । ତେବେ ରିପୋର୍ଟ ଲେଖଯିବା ବେଳକୁ ସୂଚକାଙ୍କ ୨୪ ହଜାର ୪୦୨ ଥିଲା ।
ନିବେଶକ ହରାଇଲେ ୫୩ ହଜାର କୋଟି ଟଙ୍କା
ଆଦାନୀ ବନାମ ହିଣ୍ଡନବର୍ଗ ମାମଲାରେ ସେବି ମୁଖ୍ୟ ମାଧବୀ ବୁଚଙ୍କ ନାମ ଆସିବା ପରେ ନିବେଶକ ସୁରକ୍ଷିତ ରହିବାକୁ ପସନ୍ଦ କରିଥିଲେ । ଯାହାଫଳରେ ସୋମବାର ସକାଳେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟରେ ୭ ପ୍ରତିଶତ ହ୍ରାସ ହୋଇଥିଲା । ନିବେଶକ ମୋଟ ୫୩ ହଜାର କୋଟି ଟଙ୍କା ହରାଇଥିବା ଅନୁମାନ କରାଯାଉଛି । ୧୦ ଆଦାନୀ ସେୟାରର ମିଶ୍ରିତ ବଜାର ପୁଞ୍ଜିକରଣ ୧୬.୭ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା ।
ଆଦାନୀ ଷ୍ଟକରେ ୭ ପ୍ରତିଶତ ହ୍ରାସ
ଆଦାନୀ ଗ୍ରୀନ ଏନର୍ଜି ସେୟାରେ ସବୁଠାରୁ ଅଧିକ କ୍ଷତି ହୋଇଥିଲା । କାରଣ ବିଏସଇରେ ଏହା ୭ ପ୍ରତିଶତ ହ୍ରାସ ପାଇ ଏହା ୧୬୫୬ ଟଙ୍କାର ଇଣ୍ଟ୍ରାଡେ ଲୋ’ ସ୍ତରକୁ ଛୁଇଁଥିଲା । ତେବେ ପରେ ଏଥିରେ କିଛିଟା ରିକଭରି ହୋଇଥିଲା । ସେହିଭଳି ଆଦାନୀ ପାୱାରରେ ୪ ପ୍ରତିଶତ ହ୍ରାସ ହୋଇଥିଲା । ଆଦାନୀ ୱିଲମର,ଆଦାନୀ ଏନର୍ଜି ସଲ୍ୟୁସନ ଓ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ମୂଲ୍ୟରେ ମଧ୍ୟ ପ୍ରାୟ ୩ ପ୍ରତିଶତର ହ୍ରାସ ଆସିଥିଲା ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ଆମେରିକା ସର୍ଟ୍ ସେଲର ହିଣ୍ଟନବର୍ଗ ଆଦାନୀ ଗ୍ରୁପ ଉପରେ ଏକ ନୂଆ ରିପୋର୍ଟ ଜାରି କରିଥିଲା । ଦେଢ ବର୍ଷ ପରେ ଆଦାନୀ ଉପରେ ଜାରି ରିପୋର୍ଟ ପରେ ଏହି ରିପୋର୍ଟ ଆସିଥିଲା । ନୂଆ ରିପୋର୍ଟରେ ଆଦନୀ ଗ୍ରୁପରେ ସେବି ମୁଖ୍ୟ ମାଧବୀ ବୁଚଙ୍କ ପତି ଧବଲ ବୁଚଙ୍କର ଅଂଶଧନ ଥିବା ଦାବି କରାଯାଇଥିଲା । ଯାହାକୁ ମାଧବୀ ଓ ତାଙ୍କ ସ୍ୱାମୀ ଖଣ୍ଡନ କରିଥିଲେ । ମାଧବୀଙ୍କ ଅଭିଯୋଗ ଥିଲା ଯେ,ହିଣ୍ଡନବର୍ଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ଏଭଳି ମିଥ୍ୟ ରିପୋର୍ଟ ଜାରି କରିଛି । ଅନ୍ୟପକ୍ଷରେ ହିଣ୍ଡନବର୍ଗର ରିପୋର୍ଟକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଛି । ବିରୋଧୀ ଦଳ ମାଧବୀଙ୍କ ଇସ୍ତଫା ଦାବି କରିବା ସହିତ ହିଣ୍ଡନବର୍ଗ ରିପୋର୍ଟ ଉପରେ ଜେପିସି ତଦନ୍ତ ଦାରି କରୁଛନ୍ତି ।