ଶ୍ରୀକ୍ଷେତ୍ରରୁ ସାରାରାଜ୍ୟ, ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ

1 min read

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ । ସବୁଠି ଉତ୍ସାହର ସହ ଆମନ୍ତ୍ରଣ କରାଯାଇଥିବାବେଳେ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭବ୍ୟ ସ୍ବାଗତ କରାଯାଇଛି । ମହାପ୍ରଭୁଙ୍କ ମାମୁ ଘରକୁ ଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ । ନିଆଳି ମାଧବାନନ୍ଦ ଦେବଙ୍କ ମନ୍ଦିରରେ ପହଞ୍ଚିଛି ନିମନ୍ତ୍ରଣ ପତ୍ର । ବାଡ଼ଗ୍ରାହୀ ସେବାୟତ ଜଗନ୍ନାଥ ଦାସ ମହାପାତ୍ର, ବିଭୁ ପ୍ରସାଦ ଦାସମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ ମାଧବ ପୀଠରେ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମନ୍ଦିରର ସେବାୟତ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l

ପୁରୀରୁ ଆସିଛି ଡାକରା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ବାଲେଶ୍ବର ଜିଲ୍ଲାର ମଠ ମନ୍ଦିରକୁ ନିମନ୍ତ୍ରଣ ଦେଲେ ପୁରୀରୁ ଆସିଥିବା ଦଇତାପତି । ଏହି ଦଇତାପତି ଦଳକୁ ପ୍ରଥମେ ସିମୁଳିଆ ଠାରେ ସ୍ବାଗତ କରାଯାଇଥିବା ବେଳେ ବାଲେଶ୍ବରରେ ଲୋକପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦଇତାପତି ଦଳ ଶ୍ରୀମନ୍ଦିରରୁ ଆଣିଥିବା ନିମନ୍ତ୍ରଣ ପତ୍ର ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀବସ୍ତ୍ର ପ୍ରଦାନ କରିଥିଲେ । ନୀଳଗିରି ଜଗନ୍ନାଥ ମନ୍ଦିର ଓ ବାବା ଚନ୍ଦନେଶ୍ଵର ମନ୍ଦିରର ପୂଜକମାନେ ଦଇତାପତିଙ୍କ ହାତରୁ ନିମନ୍ତ୍ରଣ ପତ୍ର ଗ୍ରହଣ କରି ସେମାନଙ୍କୁ ମନ୍ଦିର ତରଫରୁ ଉପହାର ଓ ପ୍ରସାଦ ଅର୍ପଣ କରିଥିଲେ । ସମସ୍ତ ମଠ, ମନ୍ଦିର ସହିତ ଜନସାଧାରଣ ଏହି ଭବ୍ଯ ଉତ୍ସବରେ ଯୋଗ ଦେବାକୁ ଦଇତାପତିମାନେ ନିମନ୍ତ୍ରଣ ଦେଇଛନ୍ତି । ଜାନୁଆରି 17 ତାରିଖ ଠାରୁ ସମସ୍ତ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ପ୍ରତିଷ୍ଠା ସହିତ ଘୀଅ ଦୀପ ଜାଳି ନିରାମିଷ ଆହାର କରିବାକୁ ଦଇତାପତିମାନେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।