ଦିଲ୍ଲୀ ବିଜୟ ଯାତ୍ରାରେ ଲାଗିଲା ବ୍ରେକ୍: ୩ ଓ୍ୱିକେଟରେ କୋଲକାତା ନାଇଟ ରାଇଡର୍ସ ବିଜୟୀ

ସାରଜା: ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ କୋଲକାତା ବିଜୟୀ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୩ ଓ୍ୱିକେଟରେ ଜିତିନେଇଛି କୋଲକାତା ନାଇଟ ରାଇଡର୍ସ । ସାରଜାରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ କରିବାକୁ ପଡ଼ିଥିଲା ।  ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୭  ରନ କରିଥିଲା । ୧୨୮ରନର ଏକ ଛୋଟିଆ ଲକ୍ଷ୍ୟର ପିଛା କରିବାକୁ ଯାଇ କୋଲକତାର ବ୍ୟାଟ୍ସମ୍ୟାନମାନେ ଦଳଗତ ପ୍ରଦର୍ଶନ କରି ୧୯ ତମ ଓଭରରେ ବିଜୟ ହାସଲ କରିନେଇଥିଲେ । ଦଳ ପକ୍ଷରୁ ନିତିଶ ରାଣା ୩୬, ଶୁଭମନ ଗିଲ ୩୦ ରନ ଓ ସୁନୀଲ ନାରିନ ୨୩ ରନ କରିଥିଲେ । ଏହି ବିଜୟ ସହ କୋଲକତା ୧୧ ମ୍ୟାଚରୁ ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ।  ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ ମ୍ୟାଚ ଖେଳି ୮ ବିଜୟ, ୩ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ।

କୋଲକତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ଦୁଇ ଓପନର ଶିଖର ଧାଓ୍ୱନ ଓ ଷ୍ଟିଭ ସ୍ମିଥ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ବିଶେଷ ବଡ଼ ସ୍କୋର କରିପାରିନଥିଲା । ସ୍ମିଥ ୩୯ ରନ, ଅଧିନାୟକ ଋଷଭ ପନ୍ଥ ୩୯ ରନ ଓ ଧାଓ୍ୱନ ୨୪ ରନ କରିଥିଲେ । ଫଳରେ  ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୨୭  ରନ କରିପାରିଥିଲା । କୋଲକାତା ପକ୍ଷରୁ ସୁନୀଲ ନାରିନ, ଭେଙ୍କଟେସ ଆୟର ଓ ଲୋକି ଫର୍ଗୁସନ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।

ଏଥିସହିତ ପଢ଼ନ୍ତୁ: ସୌରଭ ଗାଙ୍ଗୁଲିଙ୍କୁ ଜରିମାନା, ହାଇକୋର୍ଟ କହିଲେ ଆଇନ ଆଗରେ ସମସ୍ତେ ସମାନ, ଜାଣନ୍ତୁ ପୂରା ଖବର

Leave a Reply