IPL ୨୦୨୨: ଆଜି ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦଳ

1 min read

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେବ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ ଅପରାହ୍ମ ୩ଟା ୩୦ରେ ମୁମ୍ବାଇର ଡି ଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଚଳିତ ସିଜିନରେ ଉଭୟ ଦଳ ଏପର୍ଯ୍ୟନ୍ତ ଖାତା ଖୋଲିନାହାନ୍ତି । ତେଣୁ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ ଉଭୟ ଦଳ ।

ଚଳିତ ସିଜିନରେ ରବିନ୍ଦ୍ର ଜାଡେଜାଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତର ଭାବରେ ତିନୋଟି ମ୍ୟାଚରେ ପରାଜୟ ବରଣ କରିଛି । ଚେନ୍ନାଇ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ୬ ଓ୍ୱିକେଟରେ ପରାସ୍ତ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ତୃତୀୟ ମ୍ୟାଚରେ ପଞ୍ଜାବ କିଙ୍ଗ୍ସଠାରୁ ପରାସ୍ତ ହୋଇଥିଲେ । ଗତ ତିନୋଟି ମ୍ୟାଚରେ ଦଳ କରିଥିବା ତ୍ରୁଟିକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ।

ସେହିପରି ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଚଳିତ ସିଜିନରେ ୨ଟି ମ୍ୟାଚରେ ପରାଜିତ ହୋଇଛି । ଚଳିତ ସିଜିନରେ ଏପର୍ଯ୍ୟନ୍ତ ହାଇଦ୍ରାବାଦ ବିଜୟର ସ୍ୱାଦ ଚାଖି ପାରିନାହିଁ । ଉଭୟ ମ୍ୟାଚରେ ହାଇଦ୍ରାବାଦର ବୋଲିଂ ଓ ବ୍ୟାଟିଂ ବିଭାଗ ନୈରାଶଜନକ ପ୍ରଦର୍ଶନ କରିଥିଲା । ତେଣୁ ହାଇଦ୍ରାବାଦ ମଧ୍ୟ ଆଜିର ମ୍ୟାଚରେ ଚେନ୍ନାଇକୁ ପରାସ୍ତ କରି ବିଜୟର ସ୍ୱାଦ ଚାଖିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଆଇପିଏଲ ଇତିହାସ କଥା ଯଦି ଦେଖିବା ତାହାଲେ ଉଭୟ ଦଳ ଆଇପିଏଲରେ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ୧୬ ମ୍ୟାଚ ମଧ୍ୟରୁ ଚେନ୍ନାଇ ସୁପର କିଙ୍ଗ୍ସ ୧୨ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ସନ୍ ରାଇଜର୍ସ ହାଇଦ୍ରାବାଦ ମାତ୍ର ୪ଟି ମ୍ୟାଚରେ ବିଜୟ ଲାଭ କରିଛି ।