IPL 2023: ଟାଇଟଲ୍ ପାଇଁ ଆଜି ଗୁଜରାଟ-ଚେନ୍ନାଇ ମହାମୁକାବିଲା, ଯଦି ବର୍ଷା ହୁଏ ତେବେ କଣ ରହିଛି ବିକଳ୍ପ

1 min read

ଅହମ୍ମଦାବାଦ: ଆଇପିଏଲ-୨୦୨୩ର ଫାଇନାଲ୍ ମୁକାବିଲା ଆଜି ସନ୍ଧ୍ୟା ୭ ଟା ୩୦ରୁ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ । ଉତ୍ସାହର ସହ ଫ୍ୟାନ୍ସମାନେ ମ୍ୟାଚ୍ ସମୟକୁ ଅପେକ୍ଷା କରିଛନ୍ତି । ତେବେ ଫାଇନାଲ୍ ମ୍ୟାଚ୍ ଉପରେ ବର୍ଷାର ସଙ୍କଟ ଦେଖା ଦେଇଛି । ଯଦି ବର୍ଷା ହୁଏ ତେବେ ଆଜିର ଫାଇନାଲ୍ ମ୍ୟାଚ୍ ଧୋଇଯିବ । ବର୍ତ୍ତମାନ ଅହମ୍ମଦାବାଦର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଆଲର୍ଟ ଜାରି କରିଛି । ଏପରି ସ୍ଥିତିରେ ଅହମ୍ମଦାବାଦରେ ମଧ୍ୟ ବର୍ଷା ଆଶଙ୍କା ରହିଛି ।

ତେବେ ଯଦି ମ୍ୟାଚ୍ ସମୟରେ ବର୍ଷା ହୁଏ ତେବେ କିପରି ବିଜେତା ଘୋଷିତ ହେବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ନିଶ୍ଚୟ । ଚଳିତଥର ଫାଇନାଲ୍ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇନାହିଁ । ଆଜି ହିଁ ନିଷ୍ପତ୍ତି ହେବ କିଏ ବିଜେତା । ଯଦି ବର୍ଷା ଲାଗି ରହେ ତେବେ ଅପେକ୍ଷା କରାଯିବ ବର୍ଷା ଛାଡିବାକୁ ଯାହାଫଳରେ ପୂର୍ଣ୍ଣ ଓଭର ମ୍ୟାଚ୍ ଖେଳ କରାଯାଇପାରିବ । ଯଦି ସମୟସୀମା ମଧ୍ୟରେ ବର୍ଷା ନଛାଡେ ତେବେ କମ୍ ଓଭର ମଧ୍ୟରେ ମ୍ୟାଚ୍ କରାଯିବ ନଚେତ୍ ମ୍ୟାଚର ନିଷ୍ପତ୍ତି ସୁପର ଓଭର ଜରିଆରେ କରାଯିବ । ଏହାରି ମଧ୍ୟରେ ଆଇପିଏଲ ଚେୟାରମ୍ୟାନ୍ ଅରୁଣ ଧୁମଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଧୁମଲ କହିଛନ୍ତି ଫାଇନାଲ ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ, କିନ୍ତୁ ଆମେ ବର୍ଷା ହେବା ସ୍ଥିତିରେ ମଧ୍ୟ ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ କରିବାକୁ ଅପେକ୍ଷା କରିବୁ । ଆବଶ୍ୟକ ପଡ଼ିଲେ ସୁପର ଓଭର ଜରିଆରେ ରେଜଲ୍ଟ ବାହାର କରାଯିବ । ବର୍ତ୍ତମାନ ଅହମ୍ମଦାବାଦର ଆକାଶରେ ବାଦଲ ଛାଇ ରହିଛି । ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ଆଜି ଅହମ୍ମଦାବାଦରେ ବର୍ଷା ହେବାର ସ୍ଥିତି ନାହିଁ । ଝିପି ଜିପି ବର୍ଷା ହୋଇପାରେ କିନ୍ତୁ ଆଖପାଖ ଅଞ୍ଚଳରେ ହେଉଥିବା ବର୍ଷାକୁ ଦୃଷ୍ଟିରେ ରଖି ଏଠାରେ ବର୍ଷା ନହେବ ବୋଲି କିଛି କହିହେବ ନାହିଁ ।