ଶୁବମନଙ୍କ ଧୂଆଁଧାର ଶତକ ବଳରେ ମୁମ୍ବାଇକୁ ୨୩୪ରନର ଟାର୍ଗେଟ ଦେଲା ଗୁଜରାଟ ଟାଇଟନ୍ସ

ଅହମ୍ମଦାବାଦ: ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ଆହ୍ୱାନ କ୍ରମେ ଗୁଜରାଟ ଟାଇଟନ୍ସ ବ୍ୟାଟିଂ କରିଥିଲା । ଗୁଜରାଟର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କ ଦ୍ରୁତତମ ଶତକ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ୍ ସଂଗ୍ରହ କରିଛି ।

ଏବେ ମୁମ୍ବାଇକୁ ଜିତିବାକୁ ହେଲେ ୨୦ ଓଭରରେ ୨୩୪ ରନ୍ ସଂଗ୍ରହ କରିବାକୁ ହେବ । ଆଜିର ମ୍ୟାଚରେ ଗୁଜରାଟ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ରିଦ୍ଧିମାନ ଶାହ ଏବଂ ଶୁବମନ ଗିଲ୍ କ୍ରୀଜକୁ ଓହ୍ଲାଇଥିଲେ । ରିଦ୍ଧିମାନ ଶାହ ୧୬ ଟି ବଲରେ ୧୮ ରନ୍ କରି ପିୟୁଶ ଚାୱଲାଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ହେଲେ ଶୁବମନ ଗିଲ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କ ସାଥ ଦେଇଥିଲେ ସାଇ ସୁଦର୍ଶନ । ଶୁବମନ ଗିଲ୍ ୬୦ ଟି ବଲ୍ ଖେଳି ୧୨୯ରନର ଚମତ୍କାର ଇନିଂସ ଖେଳିଥିଲେ । ସେହିପରି ସାଇ ସୁଦର୍ଶନ ୩୧ ଟି ବଲରେ ୪୩ ରନ୍ କରି ରିଟାର୍ଡ ଆଉଟ୍ ହୋଇଯାଇଥିଲେ ।

୨୦ ଓଭର ସରିବା ବେଳରେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ଟି ବଲରେ ୨୮ ରନ୍ କରିଥିବାବେଳେ ରଶିଦ ଖାନ୍ ୨ଟି ବଲରେ ୫ ରନ୍ କରିଥିଲେ । ଦଳ ୨୦ ଓଭରରେ ୩ ୱିକେଟ୍ ବିନିମୟରେ ୨୩୩ ରନ୍ ସଂଗ୍ରହ କରିଛି । ମୁମ୍ବାଇ ପକ୍ଷରୁ ଆକାଶ ମଧୁୱାଲା ଏବଂ ପିୟୁଷ ଚାୱଲା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ମୁମ୍ବାଇକୁ ଆଜିର ମ୍ୟାଚ୍ ଜିତିବାକୁ ହେଲେ ନିର୍ଦ୍ଧାରିତ ଓଭରରେ ୨୩୪ରନର ବଡ଼ ଟାର୍ଗେଟକୁ ହାସଲ କରିବାକୁ ପଡ଼ିବ । ଆଜିର ମ୍ୟାଚ୍ ଯିଏ ଜିତିବ ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହେବ । ଏବଂ ଅନ୍ୟ ଦଳ ବାଦ୍ ପଡ଼ିବ । ଆଜିର ବିଜୟୀ ଟିମ୍ ଆସନ୍ତା ୨୮ ତାରିଖରେ ଫାଇନାଲ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ।