ଆଜି ପ୍ରଥମ କ୍ୱାଲିଫାୟର, ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ

1 min read

ଚେନ୍ନାଇ: ଚଳିତ ଆଇପିଏଲର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି । ଗ୍ରୁପ୍ ପର୍ଯ୍ୟାୟ ପରେ ଆଜିଠାରୁ ଆରମ୍ଭ ହୋଇଛି ପ୍ଲେ-ଅଫ୍ । ଆଜି ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଚେନ୍ନାଇର MA ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚରେ ବିଜୟ ଲାଭ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ଦୁଇ ଦଳ ।

୧୪ ମ୍ୟାଚରୁ ଗୁଜରାଟ ୨୦ ପଏଣ୍ଟ ଏବଂ ଚେନ୍ନାଇ ୧୭ ପଏଣ୍ଟ ସହ ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫରେ ପହଞ୍ଚିଥିଲେ । ତେବେ ଆଜିର ମ୍ୟାଚ୍ ଧୋନୀଙ୍କ ପାଇଁ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଶେଷ ମ୍ୟାଚ୍ ହୋଇପାରେ । ତେଣୁ ଘରୋଇ ମାଟିରେ ଆଜି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବ ସିଏସକେ । କିନ୍ତୁ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିବା ଚେନ୍ନାଇ ପାଇଁ ସହଜ ହେବନି । ଚେନ୍ନାଇକୁ ଆଜିର ମ୍ୟାଚରେ ଜିତିବାକୁ ହେଲେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

ସେହିପରି ଆଜିର ମ୍ୟାଚରେ ଚେନ୍ନାଇକୁ ପରାସ୍ତ କରି ଲଗାତର ଦ୍ୱିତୀୟ ବର୍ଷ ଫାଇନାଲକୁ ଯିବାକୁ ଚେଷ୍ଟା କରିବ ଗୁଜରାଟ ।  ଗୁଜରାଟର ବ୍ୟାଟିଂ ଓ ବୋଲିଂ ବେଶ୍ ସୁଦୃଢ଼ ରହିଛି । ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଶେଷ ଦୁଇ ମ୍ୟାଚରେ ଶତକ ହାସଲ କରିଛନ୍ତି ଗିଲ୍ । ତେଣୁ ଆଜିର ମ୍ୟାଚରେ ମଧ୍ୟ ଗିଲଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ତେବେ ଆଇପିଏଲ ଇତିହାସରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଥିବାବେଳେ ୩ଟି ମ୍ୟାଚରେ ବିଜୟ ଲାଭ କରିଛି ଗୁଜରାଟ । ତେଣୁ ଆଜି ମ୍ୟାଚରେ ବିଜୟ ଲାଭ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଧୋନୀ ବାହିନୀ ।