ମହଙ୍ଗା ପଡ଼ିଲା ଅମ୍ପାୟାରଙ୍କ ନିଷ୍ପତ୍ତିର ବିରୋଧ; ପନ୍ତ, ଠାକୁର ଓ ପ୍ରବୀଣ ଆମ୍ରେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

1 min read

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚକୁ ୧୫ ରନରେ ନିଜ ନାମରେ କରିଥିଲା ରାଜସ୍ଥାନ । କିନ୍ତୁ ଏହି ମ୍ୟାଚର ଶେଷ ଓଭରରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି କ୍ରିଜରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟିମର ବ୍ୟାଟସମ୍ୟାନଙ୍କୁ ଫେରିବା ପାଇଁ ଅଧିନାୟକ ଋଷଭ ପନ୍ତ ଇଶାରା ଦେଇଥିବା ଘଟଣାକୁ ବିସିସିଆଇ ଗୁରୁତର ସହ ନେଇଛି ।

ଋଷଭ ପନ୍ତ, ଶାର୍ଦ୍ଦୁଳ ଠାକୁର ଓ ବ୍ୟାଟିଂ କୋଚ୍ ପ୍ରବୀଣ ଆମ୍ରେଙ୍କୁ ଦଣ୍ଡବିଧାନ କରିଛି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ । ଅଧିନାୟକ ପନ୍ତ ବ୍ରିଚ ଅଫ କଣ୍ଡକ୍ଟ ଅପରାଧ ସ୍ବୀକାର କରିଥିଲେ । ଯାହା ଫଳରେ ତାଙ୍କ ଉପରେ ଜୋରିମାନା ଲଗାଯାଇଛି । ତାଙ୍କର ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟି ଦିଆଯାଇଛି । ଆଇପିଏଲ ଶୃଙ୍ଖଳା ଭଙ୍ଗ ପାଇଁ ଠାକୁରଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ କାଟି ଦିଆଯାଇଛି । ଲେବଲ ଟୁ ଅପରାଧକୁ ମଧ୍ୟ ସ୍ବୀକାର କରିଛନ୍ତି ଠାକୁର । ସେ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ କୋଚ୍ ପ୍ରବୀଣ ଆମ୍ରେ ପଡ଼ିଆ ଭିତରେ ଅମ୍ପାୟରଙ୍କ ସହ ଯୁକ୍ତି କରିଥିବାରୁ ତାଙ୍କର ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟି ଦିଆଯାଇଛି । ଏଥିସହ ଗୋଟିଏ ମ୍ୟାଚ ପାଇଁ ପ୍ରବୀଣ ଆମ୍ରେଙ୍କୁ ବ୍ୟାନ୍ କରାଯାଇଛି ।