ଇରାନ ସରକାର ନେଇ ପାରନ୍ତି ବଡ଼ ନିଷ୍ପତ୍ତି, ସାରା ଦୁନିଆରୁ କଟି ଯିବେ ଇରାନୀ ନାଗରିକ
ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ଇରାନ । ଖାମେନେଇ ସରକାରକୁ ନେଇ ଜଳୁଛି ଇରାନ । ଯେକୌଣସି ସମୟରେ ଆମେରିକା ଆକ୍ରମଣ କରିବାର ଭୟରେ ବିତୁଛି ଲୋକଙ୍କ ଜୀବନ । ଆଉ ଏହାରି ଭିତରେ ଇରାନ ସରକାର ଏମିତି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଲାଗୁ ହୋଇଗଲେ ସାରା ଦୁନିଆରୁ ଇରାନୀ ନାଗରିକଙ୍କ ଡିଜିଟାଲ ସମ୍ପର୍କ କଟିଯିବ । ଡିଜିଟାଲ ଅଧିକାର ପାଇଁ କାମ କରୁଥିବା ଲୋକଙ୍କ କହିବା ଅନୁସାରେ ସରକାର ସାଧାରଣ ଲୋକଙ୍କ ପାଇଁ ବୈଶ୍ବିକ ଇଣ୍ଟରନେଟ ଉପରେ କଟକଣା ଲଗାଇବା ସହ ଏହାକୁ କେବଳ ସରକାରୀ ସୁବିଧା କରିବାକୁ ପ୍ରସ୍ତୁତି ଚଲାଇଛନ୍ତି । ଯଦି ଏହି ଯୋଜନା ଲାଗୁ ହୋଇଗଲା ତେବେ ଅଧିକାଂଶ ଇରାନୀ ନାଗରିକ ସରକାର ଦ୍ବାରା ପ୍ରସ୍ତୁତ ଇଣ୍ଟରନେଟକୁ ହିଁ କେବଳ ବ୍ୟବହାର କରିପାରିବେ ।
ଇଣ୍ଟରନେଟ ସେନସରସିପ ଉପରେ ନଜର ରଖୁଥିବା ସଂସ୍ଥା ଫିଲଟର ଓ୍ବାଚ୍ ଅନୁସାରେ, ଏହି ଯୋଜାନା ଗୁପ୍ତ ଭାବେ କରାଯାଉଛି । ଯାହାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ । ଆଗକୁ ସେହିମାନଙ୍କୁ ବୈଶ୍ବିକ ଇଣ୍ଟରନେଟର ସୁବିଧା ମିଳିବ ଯେଉଁମାନଙ୍କୁ ସରକାରଙ୍କ ତରଫରୁ ସୁରକ୍ଷା ମଞ୍ଜୁରୀ ମିଳିଥିବ କିମ୍ବା ଯେଉଁମାନେ ସରକାରୀ କାମ କରୁଥିବେ । ୨୦୨୬ ପରେ ଖୋଲା ବୈଶ୍ବିକ ଇଣ୍ଟରନେଟ ଇରାନ ଫେରିବାର କୌଣସି ଆଶା ନଥିବା ସରକାରୀ ସଙ୍କେତରୁ ଜଣାପଡୁଛି ।
ଜାନୁଆରୀରୁ ଇଣ୍ଟରନେଟ କଟକଣା
ଜାନୁଆରୀ ୮ ତାରିଖରୁ ଇରାନରେ ଅନ୍ତରାଷ୍ଟ୍ରୀୟ ଇଣ୍ଟରନେଟ ପ୍ରାୟତଃ ବନ୍ଦ ହୋଇଯାଇଛି । ସରକାର ବିରୋଧୀ ପ୍ରଦର୍ଶନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ଇଣ୍ଟରନେଟ କଟକଣା ଏତେ ଲମ୍ବା ଓ ଶକ୍ତ ଯେ ଏହାର ତୁଳନା ୨୦୧୧ରେ ମିଶରରେ ହୋଇଥିବା ତହରିର ସ୍କ୍ବାୟର ଆନ୍ଦୋଳନ ସହ ତୁଳନା କରାଯାଉଛି । ଅନ୍ୟପକ୍ଷେ ଅନ୍ତରାଷ୍ଟ୍ରୀୟ ଇଣ୍ଟରନେଟ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିପାରେ ବୋଲି ସରକାରଙ୍କ ତରଫରୁ କୁହାଯାଉଛି ।
କିଛି ଲୋକ ପାଇବେ ଇଣ୍ଟରନେଟ ସୁବିଧା
ରିପୋର୍ଟ ଅନୁସାରେ ଇରାନ ପୂର୍ବରୁ ଏକ ଖାସ ଟେକ୍ନୋଲଜିର ବ୍ୟବହାର କରୁଛି । ଯାହାକୁ ହ୍ବାଇଟଲିଷ୍ଟିଙ୍ଗ କୁହାଯାଉଛି । ଏହାଦ୍ବାରା କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ସୀମିତ ଓ ଫିଲ୍ଟର ହୋଇଥିବା ବୈଶ୍ବିକ ଇଣ୍ଟରନେଟ ମିଳୁଥିବା ବେଳେ ବାକି ଲୋକ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛନ୍ତି । ରିପୋର୍ଟରେ କୁହାଯାଇଛି, ଏଥିରେ ଚୀନର ଉନ୍ନତ ଟେକ୍ନୋଲଜି ବ୍ୟବହାର କରାଯାଇଛି । ଯାହାଦ୍ବାରା ସରକାର ପୂରା ଦେଶର ଇଣ୍ଟରନେଟ ଟ୍ରାଫିକ ଉପରେ ନଜର ରଖୁଛନ୍ତି ।
କ’ଣ ପଡ଼ିବ ପ୍ରଭାବ ?
ଆମେରିକା ବୈଦେଶିକ ବିଭାଗର ଜଣେ ପୂର୍ବ ଅଧିକାରୀ ଏହାକୁ ଭୟଙ୍କର ଓ ମହଙ୍ଗା ଯୋଜନା କହିଛନ୍ତି । ତାଙ୍କ ମତରେ, ଏହାଦ୍ବାରା ଇରାନ ଅର୍ଥ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପଡ଼ିବ । ଏହାଦ୍ବାରା ଦୁନିଆ ସହ ଇରାନବାସୀଙ୍କ ସାଂସ୍କୃତିକ ଓ ସାମାଜିକ ସମ୍ପର୍କ କଟିଯିବ । ଡିଜିଟାଲ ଅଧିକାର କାର୍ଯ୍ୟକତାଙ୍କ ମତରେ ବର୍ତ୍ତମାନ ସରକାରଙ୍କୁ ଏହାଦ୍ବାରା ସଫଳତା ମିଳିପାରେ । ହେଲେ ଲମ୍ବା ସମୟରେ ଏହାର ମୂଲ୍ୟ ଦେଶ ଓ ଇରାନବାସୀଙ୍କୁ ଦେବାକୁ ପଡ଼ିବ ।

