ହରିଲୁଟ୍‌ ହେଉଛି ହିତାଧିକାରୀଙ୍କ କିରୋସିନି: ୧୧ ମାସରେ ମିଳିଛି ଥରେ

ନୂଆପଡ଼ା: କିରୋସିନ ବଣ୍ଟନରେ ଦୁର୍ନୀତି । ହରିଲୁଟ ହେଉଛି ହିତାଧିକାରୀଙ୍କ କିରୋସିନ । ୧୧ ମାସରେ ଥରେ ମିଳିଛି କିରୋସିନି । ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ଗ୍ରାମ ପଞ୍ଚାୟତରୁ । ରାସନକାର୍ଡଧାରୀଙ୍କୁ ୧୧ ମାସ ହେବ କିରୋସିନ ପ୍ରଦାନ କରାନଯାଇ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଏହି ପଞ୍ଚାୟତର ୫ଟି ଗାଁ କରଙ୍ଗାମାଲ, ଲେସୁନପାଲି, ଡୋଟୋ, କୁଲିଙ୍ଗାମାଲ ଓ କୁଲେଇକେଲାରେ ଗତ ୩୦ ଜୁଲାଇ ୨୦୧୯ରେ ଖାଉଟି କାର୍ଡରେ ଦିଆଯାଇଥିଲା କିରୋସିନ । ସେବେଠାରୁ ମିଳୁନଥିଲା କିରୋସିନି । ଦୀର୍ଘ ୧୧ମାସ ପରେ ଏବେ କେବଳ ଗୋଟିଏ ମାସର କିରୋସିନ କୋଟା ମିଳିଛି । ଏହି ଘଟଣାକୁ ନେଇ ଗ୍ରାମବାସୀ ଖଡ଼ିଆଳ ବିଧାୟକଙ୍କ ଠାରେ ଅଭିଯୋଗ କରିବାପରେ ତଦନ୍ତ ଆରମ୍ଭ କରିଛନ୍ତି ଅତିରିକ୍ତ ତହସିଲଦାର  ।

ଲୋକଙ୍କୁ ୧୧ମାସ କିରୋସିନି ନଦେଇ ଗୋଟିଏ ମାସର କିରୋସିନ ଦେଇ ଯୋଗାଣ ସହାୟକ ନିରବ ରହିବା ଘଟଣାରେ ଜିଲ୍ଲାର ଏକ ବଡ ରାକେଟ କାମ କରୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ  ।

ଅନ୍ୟପଟେ ଦଳିତ ଅଧିକାର ମଞ୍ଚ ଏହି ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ପ୍ରତି ଶୀଘ୍ର କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି  । ଘଟଣାର ଶୀଘ୍ର ତଦନ୍ତ କରି ବାକି ୧୧ ମାସର କିରୋସିନି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply