ଲେବାନନ ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଉପରେ ଇସ୍ରାଏଲ ଜୋରଦାର ଆକ୍ରମଣ

1 min read

ତେଲ ଆଭିଭ: ଉଗ୍ର ହେଉଛି ଇସ୍ରାଏଲ ଓ ହମାସ ଯୁଦ୍ଧ । ହମାସର ଆଡ୍ଡାସ୍ଥଳୀ ଗାଜାକୁ ମାଟିରେ ମିଶାଇଦେବାକୁ ରକ୍ତମୁଖା ଇସ୍ରାଏଲ । ଘନଘନ ଆକ୍ରମଣରେ ଯାଉଛି ହଜାର ହଜାର ଜୀବନ । ବଞ୍ଚି ରହିବା ପାଇଁ ସଂଘର୍ଶ କରୁଛନ୍ତି ଲୋକ । ହମାସକୁ ସମର୍ଥନ କରୁଥିବା ଲେବାନନର ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା ।

ହେଜବୁଲ୍ଲାର ବିଭିନ୍ନ ଶିବିର ଉପରେ ମିଜାଇଲ ମାଡ କରିଛି । ୱେଷ୍ଟବ୍ୟାଙ୍କରେ ଥିବା ପାଲେଷ୍ଟାଇନ୍ ନାଗରିକଙ୍କ ଉପରେ କଡା ନଜର ରଖାଯାଉଛି । ଏମାନଙ୍କ ଭିତରେ ବି ହମାସ ଆତଙ୍କବାଦୀ ରହିଥିବା ଦାବି କରୁଛି ଇସ୍ରାଏଲ ସେନା । ଗାଜା ପଟ୍ଟିରେ ଥିବା ଅଲ-ଅହଲି ହସ୍ପିଟାଲରେ ରକେଟ୍ ମାଡରେ ଶତାଧିକ ରୋଗୀ ଓ ସାଧାରଣ ନାଗରିକ ମୃତ୍ୟୁ ହୋଇଛି ।

ଏୟାର ଷ୍ଟ୍ରାଇକ୍ ଯୋଗୁଁ ୫୦୦ରୁ ଅଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗାଜାକୁ ଘେରାବନ୍ଦୀ କରି ରଖିଛି ଇସ୍ରାଏଲ । ଏଭଳି ପରିସ୍ଥିତିରେ ଆଜି ରାଫା ସୀମା ଦେଇ ୨୦ଟ୍ରକ ମାନବିକ ସହାୟତା ସାମଗ୍ରୀ ଗାଜାରେ ପହଞ୍ଚିବ ବୋଲି ସୂଚନା ମିଳିଛି । ତେଣେ ଇସ୍ରାଏଲ-ଗାଜା ସୀମାନ୍ତରେ ବିପୁଳ ସଂଖ୍ୟକ ଟ୍ୟାଙ୍କ ମୁତୟନ ହୋଇଛି । ଏହାକୁ ନେଇ ଗାଜାରେ ପ୍ରକାଶ ପାଇଛି ଆତଙ୍କ । ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ସୁନକ ସାଉଦିଆରବ ଗସ୍ତ କରିଛନ୍ତି । ସେପଟେ ଗାଜାରେ ୪ଜଣ ଓ ଓ୍ବେଷ୍ଟବ୍ୟାଙ୍କରେ ୧୨-୧୩ ଜଣ ଭାରତୀୟ ଫସିଛନ୍ତି ଏବଂ ସେମାନଙ୍କୁ ବର୍ତ୍ତମାନ ଉଦ୍ଧାର କରିବା ସମ୍ଭବ ନୁହେଁ କହିଛି ବୈଦେଶିକ ମନ୍ତ୍ରାଳୟ । ଗାଜାରେ କୌଣସି ଭାରତୀୟଙ୍କ ମୃତାହତଙ୍କ ସମ୍ପର୍କରେ ସୂଚନା ନାହିଁ ବୋଲି କହିଛନ୍ତି ମୁଖପାତ୍ର ଅରିନ୍ଦମ ବାଗଚୀ ।